କରୋନା ଭୟରେ ଗାଁକୁ ଫେରିଥିବା ପ୍ରବାସୀଙ୍କୁ ଘାରିିିଛି ରୋଜଗାର ଚିନ୍ତା: କାମଧନ୍ଦା ନପାଇ ବାହାର ରାଜ୍ୟକୁ ଫେରିଯିବାକୁ ବସିଛନ୍ତି ଶ୍ରମିକ; ନବା ପାଇଁ ବାହାର ରାଜ୍ୟରୁ ଆସି ପହଁଞ୍ଚୁଛି ବସ୍

315

କନକ ବ୍ୟୁରୋ: କରୋନା ଭୟରେ ଯେଉଁ ପ୍ରବାସୀ ଶ୍ରମିକମାନେ ଗଂଜାମକୁ ଫେରି ଆସିଥିଲେ । ଦୁଇ ମାସ ପରେ କାମଧନ୍ଦା ନପାଇ ବାହାର ରାଜ୍ୟକୁ ଫେରିଯିବାକୁ ବସିଛନ୍ତି ଏହି ଶ୍ରମିକମାନେ । କାରଣ ଭୋକର ଦାଉ କରୋନା ଭୟକୁ ଟପିଯାଇଛି । ଭଂଜନଗର ଉପଖଣ୍ଡରେ ଅନେକ ଶ୍ରମିକ ନିଜ ଭିଟାମାଟି ଛାଡ଼ି ଗୁଜରାଟ, ତାମିଲନାଡ଼ୁ, କେରଳ ଆଦି ରାଜ୍ୟରୁ ଫେରିଛନ୍ତି । ଆଉ ଯେଉଁମାନେ ଅଛନ୍ତି, ସେମାନେ ଦୋଛକିରେ ପଡିଛନ୍ତି । ଏପଟେ ଶ୍ରମିକମାନଙ୍କୁ ନେବା ପାଇଁ ବାହାର ରାଜ୍ୟରୁ ବସ ଆସି ପହଁଚୁଛି ଗଂଜାମ ଜିଲ୍ଲାର ବିଭିନ୍ନ ଅଂଚଳରେ । କିଛି ବସ ଆବଶ୍ୟକ କାଗଜପତ୍ର ଦେଖାଇ ପାରୁନଥିବାରୁ ଗାଡିକୁ ଅଟକ ରଖିଛି ପ୍ରଶାସନ ।

କରୋନା ଭୟରେ ଘରକୁ ଫେରି ଆସିଥିବା ଶ୍ରମିକଙ୍କର ଏବେ ରୋଜଗାର ଚିନ୍ତା । ପ୍ରାୟ ୪ ମାସ ଧରି କାମଧନ୍ଦା ହରାଇ ଅସ୍ତବ୍ୟସ୍ତ ହୋଇ ପଡ଼ିଲେଣି ପ୍ରବାସୀ । ପୁଣି ଥରେ ଫେରି ବାହାର ରାଜ୍ୟର କଳ କାରଖାନାରେ କାମ କରିବାକୁ କେତେବେଳେ ଶ୍ରମିକମାନେ ଦଲାଲଙ୍କୁ ଫୋନ କରୁଛନ୍ତି ତ କେତେବେଳେ ମିଲ୍ କେତେବେଳେ ମାଲିକ ଶ୍ରମିକ ମାନଙ୍କୁ ଫୋନ କରି ଡାକୁଛନ୍ତି । ଏଭଳି ସ୍ଥିତିରେ କିଛି ଠିକାଦାର ଗାଡ଼ି କରି ରାତାରାତି ଆନ୍ଧ୍ର, ଗୁଜୁରାଟ ଆଦି ରାଜ୍ୟକୁ ଶ୍ରମିକମାନଙ୍କୁ ନେଇ ଯାଉଛନ୍ତି । ଆସିକା ଓ ଭଂଜନଗର ଅଚଂଳରୁ ବସ ଯୋଗେ କିଛି ଶ୍ରମିକ କେରଳ, ତାମିଲନାଡ଼ୁ ଓ ଗୁଜୁରାଟରେ ପହଁଚିବା ପରେ ମାଲିକ ମାନେ ତତ୍ପର ହୋଇ ଉଠିଛନ୍ତି । ଅପର ପକ୍ଷେ ମାଲିକମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ନେଇ କିଛି ଦଲାଲ ଫସି ଯାଇଛନ୍ତି ଗଂଜାମରେ । କାରଣ ସେବାନଙ୍କ ପାଖରେ ଆବଶ୍ୟକ କାଗଜପତ୍ର ନାହିଁ ।

ଶ୍ରମିକ ନେବାକୁ ଆସିଥିବା ୪ଟି ବସକୁ ଭଂଜନଗର ଉପଜିଲ୍ଲାପାଳ ଓ ତହସିଲଦାର ଅଟକ ରଖି ପଚରା ଉଚୁରା କରୁଛନ୍ତି । ସଂପୃକ୍ତ ଅଂଚଳର ଜିଲ୍ଲା ପ୍ରଶାସନ ଯେଉଁ ଶ୍ରମିକମାନଙ୍କୁ ଆଣିବାକୁ ପାସ୍ ଦେଇଛନ୍ତି ଓ ସମାଜିକ ଦୂରତା ନିୟମ ମାନି ଯେଉଁମାନେ ଶ୍ରମିକମାନଙ୍କୁ ନେବାକୁ ଆସୁଛନ୍ତି, ସେମାନଙ୍କୁ ପ୍ରଶାସନ ଛାଡ଼ି ଦେଉଛି । ଗାଁରେ ରୋଜଗାର ନପାଇ ଘରେ ରହି କଷ୍ଟ ଭୋଗିବା ଅପେକ୍ଷା ନିଜ କର୍ମକ୍ଷେତ୍ରକୁ ଚାଲିଯିବା ପାଇଁ ଶ୍ରେୟ ମନେ କରିଛନ୍ତି କିଛି ଶ୍ରମିକ । ମହାମାରୀ ଚାରିଆଡେ ବ୍ୟାପୁଥିବାରୁ ଏଠାରେ ଭୋକ ଉପାସରେ ରହିବା ଅପେକ୍ଷା ଜୀବନ ଓ ଜୀବିକା ପାଇଁ ବାହାର ରାଜ୍ୟଙ୍କୁ ଫେରିଯିବାକୁ ଚାହୁଁଛନ୍ତି ଶ୍ରମିକ ।