ସଂଗରୋଧ କେନ୍ଦ୍ରରୁ ଆସିଲା ଶ୍ରମିକଙ୍କ ଜୀବିକା ଯନ୍ତ୍ରଣାର କାହାଣୀ । ଅନ୍ତେବାସୀ କହିଲେ, କାମ ନମିଳିଲେ ପୁଣି ଫିରିଯିବେ ପରବାସ । କାମ ଯୋଗାଇ ଦେବାକୁ ସରକାରଙ୍କୁ ଦାବି କଲେ ଶ୍ରମିକ ।

214

କନକ ବ୍ୟୁରୋ: ଯେତେବେଳେ କରୋନା କାୟା ମେଲାଇଲା, ଭୟରେ କାମଧନ୍ଦା ଛାଡି ଓଡିଶା ମୁହାଁ ହେଲେ ଶ୍ରମିକ । କମ୍ପାନୀ ବନ୍ଦ ହୋଇଥିବା ପରେ ପ୍ରବାସୀ ଓଡିଆମାନେ ବସ ଏବଂ ଟ୍ରେନ ଯୋଗେ ଘରକୁ ଫେରିଲେ । କେହି କେହି ସାଇକେଲରେ ମଧ୍ୟ ଘରକୁ ଫେରିଲେ ।

ଏବେ ଏହି ଶ୍ରମିକଙ୍କ ଆଗରେ ସବୁଠୁ ବଡ ପ୍ରଶ୍ନ ଛିଡାହୋଇଛି । ପୁଣିଥରେ କାମ କରୁଥିବା କମ୍ପାନିକୁ ଫେରିବେ ନା ଓଡିଶାର ରହିବେ । ଆଉ ଯଦି ଓଡିଶାରେ ରହିବେ ତେବେ କରିବେ କଣ? ବାସ୍ତବତା ଜାଣିବା ପାଇଁ ଆମେ ୩ଟି ଜିଲ୍ଲାରେ ଏହି ପ୍ରବାସୀ ଓଡିଆଙ୍କ ସ୍ଥିତି ଯାଂଚ କରିଥିଲୁ । ମାଲକାନଗିରିର ପ୍ରବାସୀ ଓଡିଆ ଶ୍ରମିକଙ୍କ କହିବା ହେଲା, ବେଙ୍ଗଲୁରୁରେ ୯ହଜାରରୁ ୧୦ ହଜାର ଟଙ୍କା ଦରମାରେ ୫ବର୍ଷ ଧରି କାମ କରୁଥିଲୁ । ଯଦି ରାଜ୍ୟ ସରକାର କାମ ନ ଯୋଗାଇବେ ତେବେ ପୁଣିଥରେ ବେଙ୍ଗଲୁରୁ ଫେରିଯିବୁ । ମାଲକାନଗିରି ଜିଲ୍ଲାକୁ ଫେରିଥିବା ପ୍ରାୟ ୧୮ ହଜାର ପ୍ରବାସୀ ଓଡିଆ ଏବେ ଏହି ଦ୍ୱନ୍ଦ୍ୱ ଭିତରେ ଅଛନ୍ତି ।

କେନ୍ଦ୍ରାପଡାର ପ୍ରବାସୀ ଶ୍ରମିକ କହୁଛନ୍ତି, ଓଡିଶାରେ ବିଲବାଡି ନାହିଁ, କାମଧନ୍ଦା ମିଳୁନାହିଁ । ଯେଉଁ ବାହାର ରାଜ୍ୟରେ କାମ କରୁଥିଲୁ କରୋନା ସଂକ୍ରମଣ ଭୟ ରହିଥିବାରୁ ସେଠାକୁ ଏବେ ଫେରିବା ସମ୍ଭବ ନୁହେଁ । ତେଣୁ ସରକାର ତୁରନ୍ତ କାମ ଯୋଗାଇବା ବ୍ୟବସ୍ଥା କରନ୍ତୁ । ଆନ୍ଧ୍ରପ୍ରଦେଶରେ କମ୍ପାନିରେ ଚାକିରି କରି ୧୮ହଜାର ଟଙ୍କା ରୋଜଗାର କରୁଥିବା ଯୁବକଙ୍କ ଓଡିଶାରେ ହାତ ଖାଲି । କଣ କରିବେ ମୁଣ୍ଡକୁ କିଛି ବୁଦ୍ଧି ଦିଶୁ ନାହିଁ । ପ୍ରାୟ ୨୭ହଜାର ଶ୍ରମିକ ଏହି ସମସ୍ୟା ଦେଇ ଗତି କରୁଛନ୍ତି ।

ସମାନ ସ୍ଥିତି ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ । ପ୍ରାୟ ୩୮ହଜାର ଶ୍ରମିକଙ୍କ ହାତ ଖାଲି । ରୋଜଗାର ଠପ ହୋଇଯାଇଥିବାରୁ ସରକାରୀ ତୁରନ୍ତ କାମଧନ୍ଦା ଯୋଗାଇଦେବା ପାଇଁ ନିବେଦନ କରିଛନ୍ତି । କରୋନା ସହ ସାରା ଦେଶ ଲଢେଇ କରୁଥିବା ବେଳେ ବାହାର ରାଜ୍ୟରୁ କେବଳ ଓଡିଶାକୁ ଫେରିଛନ୍ତି ପ୍ରାୟ ୪ଲକ୍ଷ ପ୍ରବାସୀ ଓଡିଆ । ଏହି ପ୍ରବାସୀ ଓଡିଆ କରୋନା ଭୟରେ ବାହାର ରାଜ୍ୟାକୁ କମ୍ପାନୀରେ କାମ କରିବା ପାଇଁ ଯାଇପାରୁନାହାନ୍ତି ଅନ୍ୟପକ୍ଷରେ ରାଜ୍ୟରେ ଚାଷ କରି ଚଳିବା ମଧ୍ୟ ସେମାନଙ୍କ ପାଇଁ ସମ୍ଭବ ହେଉନାହିଁ । ଏପରିସ୍ଥିତିରେ ପ୍ରବାସୀ ଓଡିଆ ଶ୍ରମିକଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି ।