ଭୁବନେଶ୍ୱରରୁ ପାଲଲହଡା ଚାଲିଚାଲି ଯାଉଛନ୍ତି ଶ୍ରମିକ: ୩ ଦିନରେ ଅତିକ୍ରମ କଲେଣି ୧୨୦ କିମି; ସେପଟେ ସାଇକେଲରେ ମହାରାଷ୍ଟ୍ରରୁ ଓଡିଶା ଆସିଲେ ଯାଜପୁରର ଯୁବକ

2,587

କନକ ବ୍ୟୁରୋ: ସୁଦୁର ମହାରାଷ୍ଟ୍ରରୁ ଓଡିଶା । ଦେଶରେ ତାଲାବନ୍ଦ ଚାଲିଥିବା ବେଳେ ମହାରାଷ୍ଟ୍ରରେ କାମ କରୁଥିବା ଜଣେ ଓଡିଆ ଦାଦନ ଶ୍ରମିକ ଘରକୁ ଫେରିଛନ୍ତି ସାଇକେଲରେ । ମହାରାଷ୍ଟ୍ରରୁ ଓଡିଶାର ଯାଜପୁର ଜିଲ୍ଲାକୁ ପହଁଚିବାକୁ ତାଙ୍କୁ ଲାଗିଛି ପ୍ରାୟ ୮ ଦିନ । ଏହା ମଧ୍ୟରେ ସେ ଅତିକ୍ରମ କରିଛନ୍ତି ୨ ହଜାର କିଲୋମିଟର । ଏହି ଯୁବକ ଜଣକ ହେଉଛନ୍ତି ଯାଜପୁର ବରୀ ବ୍ଲକର ଭଅଁରା ଗ୍ରାମର ମହେଶ ଜେନା । ମହେଶ ସେଠାରେ ଏକ ଘରୋଇ କମ୍ପାନୀରେ କାମ କରୁଛନ୍ତି । ଦେଶରେ ଲକଡାଉନ ଲାଗୁ ରହିଥିବାରୁ ସେ ଘରକୁ ଫେରି ଆସିବାକୁ ଉଦ୍ୟମ କରୁଥିଲେ । ଏଥିପାଇଁ କୌଣସି ବାଟ ନପାଇ ଶେଷରେ ସାଇକେଲରେ ବାହାରିଥିଲେ ଘରକୁ । ଯାଜପୁରରେ ପହଁଚିବା ପରେ ତାଙ୍କୁ କ୍ୱାରେଟାଂଇନରେ ରଖାଯାଇଛି । ଯାଜପୁରର ଏହି ଓଡିଆ ଯୁବକଙ୍କ ଏପରି ଦୁଃସାହସିକ ପଦକ୍ଷେପ ଚର୍ଚାର ବିଷୟ ହୋଇଛି ।

ଦେଶରେ କରୋନାକୁ ନେଇ ଲାଗି ରହିଛି ତାଲାବନ୍ଦ ସ୍ଥିତି । ଏହାରି ଭିତରେ ଗମନାଗମନ ପାଇଁ କୌଣସି ବ୍ୟବସ୍ଥା ନାହିଁ । ଏହାରି ଭିତରେ ରାଜଧାନୀର ବରମୁଣ୍ଡା ବସଷ୍ଟାଣ୍ଡରେ ଫସି ରହିଥିବା ପାଲଲହଡାର ଜଣେ ଶ୍ରମିକ ଚାଲି ଚାଲି ଘରକୁ ଯାଉଛନ୍ତି । ରାଜଧାନୀ ଭୁବନେଶ୍ୱରରୁ ଚାଲି ଚାଲି ୩ ଦିନ ମଧ୍ୟରେ ସେ କାମାକ୍ଷାନଗର ପହଁଚିଛନ୍ତି । ଆଗକୁ ଯିବାକୁ ହେବ ଆହୁରି ୧୦୦ କିମି । ତାଙ୍କୁ ଘରେ ପହଁଚିବାକୁ ଲାଗିବ ଆହୁରି ୨ ଦିନ । ଦେଶରେ ତାଲାବନ୍ଦର ଏ ହେଉଛି ଆଉ ଏକ ଦିଗ । ଯାହାକୁ କେହି ଏଡାଇ ପାରିବେ ନାହିଁ । ପାଲଲହଡାର ରାଜକିଶୋର ନାୟକ ତାଲାବନ୍ଦରେ ଭୋକ ଉପାସରେ ପଡି ରହିବା ପରେ ସାହସ ଜୁଟାଇ ଘରକୁ ଚାଲି ଚାଲି ଯିବାକୁ ବାହାରିଛନ୍ତି । ସବୁଠୁ ଦୁଃଖର କଥା ତାଙ୍କ ନିକଟରେ ଯାହା କିଛି ଖାଦ୍ୟ ଥିଲା ବାଟରେ ତାହା ଏବେ ଶେଷ ହୋଇଯାଇଛି । ସେ ଏବେ ଭୋକିଲା ପେଟରେ ବାଟ ଚାଲୁଛନ୍ତି ।