ପ୍ରବାସୀ ଶ୍ରମିକଙ୍କ ସୁରଟ ଫେରନ୍ତା ଯାତ୍ରା ଆରମ୍ଭ । ଶହ ଶହ ସଂଖ୍ୟାରେ ଟ୍ରେନ ଯୋଗେ ଫେରୁଛନ୍ତି ସୁରଟ । କହିଲେ ଓଡିଶାରେ ମିଳିଲା ନାହିଁ କାମଧନ୍ଦା , ପେଟପାଟଣା ପାଇଁ ଛାଡିବାକୁ ପଡିଲା ଭିଟାମାଟି

393

କନକ ବ୍ୟୁରୋ : ବ୍ରହ୍ମପୁର ରେଳ ଷ୍ଟସନର ଏହି ଦୃଶ୍ୟ ଓଡିଶାର ଏକ ଇଙ୍ଗ ସମସ୍ୟାକୁ ବୟାନ କରୁଛି । ବାହାରେ ଯାଇ କାମ କରିବା ଏବଂ ରୋଜଗାର କରିବା କିଛି ଖରାପ କଥା ନୁହେଁ, କିନ୍ତୁ ଯଦି ଏହା ବାଧ୍ୟବାଧକତା ବନିଯାଏ ଏବଂ ତାଙ୍କ ପାଖରେ ଆଉ କିଛି ଉପାୟ ନଥାଏ ତେବେ ଏହି ପ୍ରବାସୀ ଶ୍ରମିକଙ୍କୁ ଆଖିରୁ ଲୁହ ଝରାଇ ଭିଟାମାଟି ଛାଡିବାକୁ ପଡିଥାଏ ।

ସେପ୍ଟେମ୍ବର ୧୨ ତାରିଖରୁ ସୁରଟକୁ ଟ୍ରେନ ଚାଲିବା ଆରମ୍ଭ ହେବା ପରେ ପ୍ରବାସୀ ଶ୍ରମିକଙ୍କ ସୁରଟ ଫେରନ୍ତା ଯାତ୍ରା ଆରମ୍ଭ ହୋଇଯାଇଛି । ଯେମିତି କୋଭିଡ ଆରମ୍ଭରୁ ଖୁବ ବ୍ୟସ୍ତ ହୋଇ ଏମାନେ ଘରକୁ ଫେରୁଥିଲେ, ଏବେ ଠିକ ସେହିଭଳି ଆର୍ଥିକ ଅନଟନକୁ ସହି ନପାରି ଏମାନଙ୍କୁ ପୁଣି ସୁରତ ଫେରିବାକୁ ପଡିଛି ।

ସୁରଟରେ ଏମାନେ ପ୍ରାୟ ସୁତାକଳରେ କାମ କରନ୍ତି । ଧୀରେ ଧୀରେ କୁଶଳୀ ଶ୍ରମିକ ବି ବନିଯାଇଛନ୍ତି । ଫଳରେ ଭଲ ଦି ପଇସା ରୋଜଗାର ବି କରନ୍ତି । କିନ୍ତୁ ନିଜ ଭିଟାମାଟି ଓଡିଶାରେ ସେହି ସୁଯୋଗ ନାହିଁ । କିନ୍ତୁ ଟଙ୍କା ରୋଜଗାର କରିବାକୁ ପଡିବ ହିଁ ପଡିବ । କାରଣ ତାଙ୍କ ଉପରେ ପୁରା ପରିବାରର ଦାୟିତ୍ୱ ରହିଛି ।

କରୋନା ମାଡିଯିବା ପରେ ହଜାର ହଜାର ସଂଖ୍ୟାରେ ସୁରଟରୁ ପ୍ରବାସୀ ଶ୍ରମିକ ଘରକୁ ଫେରିବାକୁ ଲାଗିଲେ । କିଏ ସରକାରୀ ବ୍ୟବସ୍ଥାରେ ଆସିଲେ ଆଉ କିଏ କିଏ ସାଇକେଲରେ ଏବଂ ଚାଲି ଚାଲି ଆସିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ବିଡମ୍ବନାର କଥା ହେଉଛି ଏବେ କୋଭିଡ ଆହୁରି ବଢିବାରେ ଲାଗିଛି । କିନ୍ତୁ ଅର୍ଥ ରୋଜଗାର ମଧ୍ୟ ବଡ ଆବଶ୍ୟକତା । ସେଥିପାଇଁ ବିପଦ ଭିତରେ ଜିବିକା ବଂଚାଇବାକୁ ବାହାରି ପଡିଛନ୍ତି ପ୍ରବାସୀ ଶ୍ରମିକ