ତାଲାବନ୍ଦ ବଢାଇଲା ଦୁଃଖ: ମିଳୁନି କାମ, ରୋଜଗାର ଶୂନ୍ୟ…୨୧ ଦିନ ବସିବା ପରେ ଭାଙ୍ଗିଲା ଶ୍ରମିକଙ୍କ ଧୌର୍ଯ୍ୟ; କେଉଁଠି ଚାଲି ଚାଲି ତ ପୁଣି କେଉଁଠି ସାଇକେଲରେ ଘରକୁ ଫେରୁଛି ଦାଦନ

448

କନକ ବ୍ୟୁରୋ: ଚାଲି ଚାଲି ଓଡିଶାରୁ ଝାଡ଼ଖଣ୍ଡ ବାହାରିଲେ ଶ୍ରମିକ । ଝାରସୁଗୁଡା ଜିଲ୍ଲାରେ କିଛି ଇଣ୍ଡଷ୍ଟ୍ରିରେ କାମ କରୁଥିଲେ ଝାଡ଼ଖଣ୍ଡ ଓ ବିହାରର ଶ୍ରମିକ । ଲକଡାଉନ ଯୋଗୁଁ କାମ ବନ୍ଦ ହେବା ପରେ ଏମାନେ ୨୧ ଦିନ ହେବ ଧୌର୍ଯର ସହ ରହିଥିଲେ । କିନ୍ତୁ ଏବେ ଲକଡାଉନ ଅବଧି ବୃଦ୍ଧି ପରେ ଏମାନେ ବାଧ୍ୟ ହୋଇ ଚାଲିଚାଲି ନିଜ ରାଜ୍ୟକୁ ଯିବା ପାଇଁ ବାହାରିଛନ୍ତି । ଆଜି ସକାଳୁ ଏମାନେ ସୁନ୍ଦରଗଡ ସହର ଦେଇ ବିଜୁ ଏକ୍ସପ୍ରେସ ୱେ ନେଇ ଝାଡଖଣ୍ଡ ଓ ବିହାର ଯିବା ପାଇଁ ପାଦ ଚଲା ଅଭିଯାନ ଆରମ୍ଭ କରିଛନ୍ତି ।

ମାଲକାନଗିରିରୁ ବି ଆସିଛି ସମାନ ଚିତ୍ର । ଲକଡାଉନ ଯୋଗୁଁ ଗାଡି ମଟର ଚଳାଚଳ କରୁନାହିଁ । ଫଳରେ ଦୀର୍ଘ ଦିନ ଧରି କାମ ଧନ୍ଧା ନପାଇ ଫସିରହିଛନ୍ତି ଶ୍ରମିକ । ଏବେ ଲକଡାଉନ ଅବଧି ବୃଦ୍ଧି ପରେ କୌଣସି ପ୍ରକାରେ ଘରୁ ଯିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ୧୦ ଶ୍ରମିକ ଏବେ ସାଇକେଲ ନେଇ ମାଲକାନଗିରି ଜିଲ୍ଲାର ଏମଭି ୭୯ ସ୍ଥିତ ରଣ୍ଡାପାଲିରୁ ନବରଙ୍ଗପୁର କୋସାଗୁମିଡା ଜିଲ୍ଳାର ସୁନ୍ଦରିଗୁଡା ଗାଁକୁ ଯାଉଛନ୍ତି । ଦୀର୍ଘ ୨୫୦ କିଲୋମିଟର ଅଧିକ ବାଟ ଏମାନେ ସାଇକେଲରେ ବାହାରିଥିବା ବେଳେ ମାଲକାନଗିରିରେ ଏମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି ଭ୍ରାମ୍ୟମାଣ ଡାକ୍ତରୀ ଦଳ ।