ପ୍ରବାସୀ ଶ୍ରମିିକ ପୁଣି ସହର ମୁହାଁ : ମନରେଗା କାମ ଚାହିଦା କମିଲା, ୨୯% ଶ୍ରମିକ ସହର ଫେରିଲେଣି

240

କନକ ବ୍ୟୁରୋ : କରୋନା ସଙ୍କଟର ମୁକାବିଲା ଲାଗି ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ପ୍ରଭାବରେ ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିଆସିଥିଲେ । ଦୀର୍ଘଦିନ କାମଧନ୍ଦା‌ ନପାଇ ବସି ରହିବା ପରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ ପୁଣି ସହର ମୁହାଁ ହୋଇଛନ୍ତି । ଘରକୁ ଫେରିଥିବା ପ୍ରାୟ ୨୯% ପ୍ରବାସୀ ଶ୍ରମିକ ସହରକୁ ଫେରିଛନ୍ତି । ଆଉ ୪୫ ପ୍ରତିଶତ ଶ୍ରମିକ ସହରକୁ ଫେରିବା ବିଷୟରେ ଚିନ୍ତା କରୁଛନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି ।

ପ୍ରାୟ ପାଞ୍ଚଟି ଏନ୍‌ଜିଓ ମିଳିତ ଭାବେ ୧୧ଟି ରାଜ୍ୟର ୪୮ଟି ଜିଲ୍ଲାରେ ଥିବା ୪୮୩୫ ପରିବାରକୁ ନେଇ ଏକ ସର୍ଭେ କରିଥିଲେ । ଗତ ଜୁନ୍ ୨୪ରୁ ଜୁଲାଇ ୮ ଭିତରେ ଏହି ସର୍ଭେ କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ ଘରକୁ ଫେରିଥିବା ୨୯% ପ୍ରବାସୀ ଶ୍ରମିକ ପୁଣି ସହରକୁ ଲେଉଟିଯାଇଛନ୍ତି । ନିଜ ଗ୍ରାମରେ କୁଶଳୀ ଶ୍ରମିକଙ୍କ ପାଇଁ କାମଧନ୍ଦାର ଅଭାବ ଥିବାରୁ ସେମାନେ ସହର ଫେରିବାକୁ ବାଧ୍ୟ ହେଉଛନ୍ତି । ଯେଉଁ ସବୁ ପ୍ରବାସୀ ଶ୍ରମିକ ନିଜ ଗ୍ରାମକୁ ଫେରିଥିଲେ ସେମାନଙ୍କୁ ଶ୍ରମ ଭିତ୍ତିକ କାର୍ଯ୍ୟ ଦିଆଯାଇଥିଲା । ଯେଉଁମାନେ କୁଶଳୀ ସେମାନଙ୍କୁ କାମ ମିଳିନଥିଲା । ଗ୍ରାମାଞ୍ଚଳରେ ଥିବା ଏକ ଚତୁର୍ଥାଂଶ ପ୍ରବାସୀ ଶ୍ରମିକ ଏବେବି କାମଧନ୍ଦା‌ ଖୋଜୁଛନ୍ତି ବୋଲି ଏହି ସର୍ଭେରୁ ଜଣାପଡ଼ିଛି ।

ଏହି ସର୍ଭେ ପ୍ରବାସୀ ଶ୍ରମିକଙ୍କ ସ୍ଥିତିକୁ ନେଇ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛି। ପ୍ରତି ଚାରି ପରିବାର ମଧ୍ୟରୁ ଅତି କମ୍‌ରେ ଗୋଟିଏ ପରିବାର ନିଜ ପିଲାଙ୍କ ପାଠପଢ଼ା ଅଧାରୁ ବନ୍ଦ କରିବା ଉପରେ ବିଚାର କରୁଛନ୍ତି। ସର୍ଭେରେ ଭାଗ ନେଇଥିବା ୪୩ ପ୍ରତିଶତ ପରିବାର କହିଛନ୍ତି ଯେ ସେମା‌ନେ ଭୋଜନ ମାତ୍ରା କମ୍ କରିଛନ୍ତି। ପ୍ରାୟ ୫୩ ପ୍ରତିଶତ ଲୋକ ପୂର୍ବାପେକ୍ଷା କମ୍ ଖାଦ୍ୟ ଖାଉଛନ୍ତି। ତେବେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସରକାର ମାଗଣାରେ ଖାଦ୍ୟଶସ୍ୟ ଯୋଗାଇବା ପରେ ଲକ୍‌ଡାଉନ୍ ତୁଳନାରେ ଲୋକମାନଙ୍କ ଖାଦ୍ୟ ଗ୍ରହଣରେ ଉନ୍ନତି ପରିଲକ୍ଷିତ ହୋଇଛି। କରୋନା ପ୍ରଭାବରେ ଗ୍ରାମାଞ୍ଚଳରେ ଲୋକମାନଙ୍କ ଆର୍ଥିକ ସ୍ଥିତି ବହୁତ ବିଗିଡ଼ିଯାଇଥିବା ଏହି ସର୍ଭେରୁ ଜଣାପଡ଼ିଛି। ଅର୍ଥ ଯୋଗାଡ଼ କରିବା ଲାଗି ୬ ପ୍ରତିଶତ ପରିବାର କିଛି ନା କିଛି ସାମଗ୍ରୀ ବନ୍ଧକ ରଖିଥିବା ବେଳେ ୧୫ ପ୍ରତିଶତ ପରିବାର ପଶୁସମ୍ପଦ ବିକ୍ରି କରିଛନ୍ତି। ଦୁଇ ପ୍ରତିଶତ ଲୋକ ନିଜ ଜମି ବନ୍ଧକ ରଖିଥିବା ବେଳେ ଏକ ପ୍ରତିଶତ ଲୋକ ଜମି ବିକ୍ରି କରିଛନ୍ତି। ୧୦ ପ୍ରତିଶତ ପରିବାର ନିଜ ବନ୍ଧୁ ପରିଜନଙ୍କ ଠାରୁ ଧାର ସୂତ୍ରରେ ଟଙ୍କା ଆଣିଥିବା ବେଳେ ୭ ପ୍ରତିଶତ ଲୋକ ମହାଜନ ଠାରୁ ଋଣ ଆଣିଛନ୍ତି।