ଶ୍ରମିକ ବୋଲି ସହୁଛି… କରୋନା କଷଣ ଠାରୁ ବଳିଗଲା ଦୁର୍ଘଟଣା । ବାଟରେ ଫେରିବାବେଳେ ଦୁର୍ଘଟଣାରେ ଚାଲିଯାଉଛି ଶ୍ରମିକର ଜୀବନ, ପରିବାରର ମୁହଁ ଦେଖିବା ପୂର୍ବରୁ ଅଧା ରହିଯାଉଛି ଆଶା ।

322

କନକ ବ୍ୟୁରୋ: ପ୍ରବାସୀ ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁ । ଆଜି ଅନୁଗୁଳ, ବାଲେଶ୍ୱରର ସୋର ଏବଂ ଟାଙ୍ଗିରେ ଏମିତି କିଛି ଦୁର୍ଘଟଣା ପ୍ରବାସୀ ଶ୍ରମିକଙ୍କ ପରିବାର ପାଇଁ ଆଣିଦେଇଛି ଦୁଃଖ । ଏହି ଦୁର୍ଘଟଣାରେ ଏକାଧିକ ଲୋକଙ୍କ ଜୀବନ ଯାଇଛି । ସେପଟେ ମାଲକାନଗିରିରେ ଗତ ୬ ଦିନରେ ୫ଜଣଙ୍କ ମୃତ୍ୟୁ ହୋଇଛି । କିଏ ସାଇକେଲରେ ଘରକୁ ଫେରିବା ବେଳେ ଟଳିପଡିଛି ତ ଆଉ କିଏ ଚିକିତ୍ସା ବେଳେ ।

ପ୍ରବାସୀ ଶ୍ରମିକଙ୍କ ପାଇଁ କରୋନା କସରତ ଠାରୁ ବଳିଯାଇଛି ଦୁର୍ଘଟଣାର ଦୁଃଖ । କରୋନା ସଂକ୍ରମଣରେ ଯେତିକି ଶ୍ରମିକଙ୍କ ମୃତ୍ୟୁ ହେଉନି ତାଠାରୁ ଅଧିକ ମୃତ୍ୟୁ ଦେଖିବାକୁ ମିଳିଛି ଦୁର୍ଘଟଣାରେ । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଉଳିଆପାଟଣା ନିକଟରେ ବସ ଦୁର୍ଘଟଣା ହୋଇଥିବାବେଳେ ଆଉ ଗୋଟିଏ ବସ୍ ପଣପଣା ବଜାର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ଖନ୍ତାପଡା ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଏକ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଜଣେ ପ୍ରବାସୀଙ୍କର ମୃତ୍ୟୁ ହୋଇଛି । ସେହିପରି ପଣପଣା ବଜାର ନିକଟରେ ବସ- ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ପୋଲିସ କ୍ରେନ ସାହାଯ୍ୟରେ ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି ।

ଅନୁଗୁଳ ଲୁହାମୁଣ୍ଡା ନିକଟରେ ଇଣ୍ଡେନ ଗ୍ୟାସ ଟ୍ୟାଙ୍କରକୁ ପିଟିଲା ମହାରାଷ୍ଟ୍ରରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ପଶ୍ଚିମବଙ୍ଗ ଯାଉଥିବା ଏକ ବସ୍ । ଦୁର୍ଘଟଣାରେ ଟ୍ୟାଙ୍କର ଚାଳକଙ୍କର ଜୀବନ ଯାଇଥିବା ବେଳେ ୨୦ରୁ ଉର୍ଦ୍ଧ ଶ୍ରମିକ ଆହତ ହୋଇଛନ୍ତି । ସେହିପରି କଟକ- ଟାଙ୍ଗିରେ ଟ୍ରକକୁ ପଛପଟୁ ଧକ୍କା ଦେଲା ବସ । ବସଟି ତାମିଲନାଡୁରୁ ପ୍ରବାସୀ ଶ୍ରମିକମାନଙ୍କୁ ଧରି ଭଦ୍ରକ ଯାଉଥିଲା । ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିବାବେଳେ ୮ ଜଣ ଆହତ ହୋଇଛନ୍ତି ।

ସାଇକଲରେ ଚେନ୍ନାଇରୁ ମାଲକାନଗିରି ଫେରୁଥିବା ବେଳେ ଅଧା ବାଟରେ ଚାଲିଗଲା ଜୀବନ । ଏମ.ପି.ଭି ୭୩ ଗାଁ ର ୪୨ ବର୍ଷୀୟ ସତ୍ୟ ନାରାୟଣ ବିଶ୍ୱାସ ପ୍ରାୟ ୪୫ ଡିଗ୍ରୀ ତାପମାତ୍ରାରେ କୋପରପେଟା ନିକଟରେ ପହଁଚିବା ପୂର୍ବରୁ ରାଜରାସ୍ତାରେ ଟଳି ପଡିଥିଲେ । ମାଲକାନଗିରି ମାଥିଲି ବ୍ଲକ ମେକା ଗାଁ ର ୧୫ ବର୍ଷୀୟ ଯୁବକ ଜଳନ୍ଧର ନାୟକ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଠାରେ ପଥର କ୍ରଶରରେ କାମ କରୁଥିଲେ । ଗତ ଶନିବାର ଦିନ ଜ୍ୱରରେ ପିଡିତ ଜଳନ୍ଧର ଚିକିତ୍ସା ଅଭାବରୁ ପ୍ରାଣ ହରାଇଛନ୍ତି । ଜଳନ୍ଧର ମୃତ୍ୟୁକୁ ୪ ଦିନ ବିତି ଯାଇ ଥିଲେ ହେଁ ଏ ଯାଏଁ ତାଙ୍କ ଶବକୁ ଚାହିଁ ବସିଛନ୍ତି ବାପା ମାଁ । ଅନ୍ୟପଟେ ସେହିପରି ଏମ.ପି.ଭି ୭୩ ଗାଁ ର ମ୍ରୀଗଙ୍ଗ ହାଲଦାର ଚେନ୍ନାଇରୁ ଘରକୁ ଫେରିନପାରି ସେଠାରେ ପ୍ରାଣ ହରାଇଥିଲେ ।