ପୁଣି ସୁରତକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ : ୪ ମାସ ଧରି ଘରେ ବସିବା ପରେ ଘାରିଲା ପେଟ ପାଟଣା ଚିନ୍ତା; ସରକାର କାମ ଯୋଗାଇ ନଦେବାରୁ ବସରେ ଗଲେ ଆସ୍କା ଅଂଚଳର ଶତାଧିକ ଶ୍ରମିକ

193

କନକ ବ୍ୟୁରୋ : ପୁଣି ସୁରତ ମୁହାଁ ପ୍ରବାସୀ ଶ୍ରମିକ । ଭିଟାମାଟିକୁ ଫେରିବାର ୪ ମାସ ପରେ ପୁଣି ସେମାନଙ୍କୁ ଘାରିଛି ପେଟ ପାଟଣା ଚିନ୍ତା । ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ପ୍ରବାସୀ ଶ୍ରମିକ ଆସ୍କାରେ ଏକାଠି ହୋଇ ବସ ଯୋଗେ ସୁରତ ଯାଇଛିନ୍ତି । ପ୍ରାୟ ପନ୍ଦରରୁ ଅଧିକ ବସ୍ରେ ପିଲା ଛୁଆଁଙ୍କୁ ଧରି ଦୟନୀୟ ଅବସ୍ଥାରେ ଗୁଜୁରାଟ ଫେରିଛନ୍ତି ବହୁ ସଂଖ୍ୟାରେ ପ୍ରବାସୀ ଓଡିଆ । ଲକଡାଉନ ବେଳେ ଯେମିତି ବ୍ୟାଗ ଧରି ଗାଁକୁ ଫେରିଥିଲେ ଠିକ୍ ସେମିତି ପୁଣି ସୁରତକୁ ଫେରିଛନ୍ତି ଏହି ପ୍ରବାସୀ ଶ୍ରମିକ । ଭଡା ବାବଦକୁ ବସରେ ଚଢ଼ା ଦର ଦେଇ ଏମାନେ ଫେରିଛନ୍ତି । ଗାଁରେ କାମଧନ୍ଧା ନମିଳିବାରୁ ସେମାନେ ବାଧ୍ୟ ହୋଇ ପୁଣି ସୁରତ ଫେରିଥିବା କହିଛନ୍ତି ।

କରୋନା ମହାମାରୀ ଯୋଗୁଁ ସାରା ଦେଶରେ ଲକଡାଉନ ଲାଗୁ ହେବା ପରେ ନିଜର ଭିଟାମାଟିକୁ ଏମାନେ ୪ ମାସ ତଳେ ଫରିଥିଲେ । ହେଲେ ଅଚାନକ ଫେରିଥିବାରୁ ସେମାନଙ୍କ ପାଖରେ ଚଳିବା ପାଇଁ ଟଙ୍କା ନଥିଲା । ତେଣୁ ଧିରେ ଧିରେ ଗାଁରେ ଧାର ଉଦ୍ଧାର ବଢ଼ି ଚାଲିଥିଲା । ଆର୍ଥିକ ପରିସ୍ଥିତି ଦିନକୁ ଦିନ ବିଗିଡି ଚାଲୁଥିବାବେଳେ ପୁଣି ଥରେ ସେମାନେ ଫେରିବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି ।