ଦୁଃଖ ଆଣିଦେଲା ତାଲାବନ୍ଦ କଟକଣା...କାମଧନ୍ଦା ହରାଇ ଭୋକ ଉପାସରେ ଶହ ଶହ କୋଷ ଚାଲି ଚାଲି ଘରକୁ ଫେରୁଛି ଶ୍ରମିକ...

ଦୁଃଖ ଆଣିଦେଲା ତାଲାବନ୍ଦ କଟକଣା...କାମଧନ୍ଦା ହରାଇ ଭୋକ ଉପାସରେ ଶହ ଶହ କୋଷ ଚାଲି ଚାଲି ଘରକୁ ଫେରୁଛି ଶ୍ରମିକ...

କନକ ବ୍ୟୁରୋ: ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାର ସମଗ୍ର ରାଜ୍ୟରେ ଲକ୍ଡାଉନ୍ ଜାରି କରିଛନ୍ତି। ଅନେକ ଶ୍ରମିକ କାମଧନ୍ଦା ହରାଇ ଭୋକ ଉପାସରେ ରହିଛନ୍ତି। ଗାଡ଼ି ଚଳାଚଳ ବନ୍ଦ ଥିବାରୁ ଏହି ଶ୍ରମିକମାନେ ନିଜ ଘରକୁ ମଧ୍ୟ ଫେରିପାରୁ ନାହାନ୍ତି। ଏପରିସ୍ଥଳେ ଭୁବନେଶ୍ବରରେ କାମ କରୁଥିବା ପାଳଲହଡ଼ା ଗାଁର ରାଜକିଶୋର ନାୟକ(୪୫) ଚାଲିଚାଲି ଘରକୁ ଫେରିବାକୁ ସ୍ଥିର କରିଥିଲେ। ସେ ଭୁବନେଶ୍ବରରୁ ତିନି ଦିନ ଚାଲିଚାଲି ଆଜି କାମାକ୍ଷାନଗରରେ ପହଞ୍ଚିବା ପରେ କିଛି ସମୟ ରହି ପୁଣି ନିଜ ଘରକୁ ଚାଲିଚାଲି ଯାଇଛନ୍ତି।

ପ୍ରକାଶ ଯେ, ପାଲଲହଡ଼ା ବ୍ଲକ୍ ବଡ଼ବାଗଦରି ଗାଁର ରାଜକିଶୋର ନାୟକ(୪୫) ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ କୁଲି ଭାବେ କାମ କରୁଥିଲେ। ସେଥିରୁ ଯାହା କିଛି ରୋଜଗାର କରୁଥିଲେ, ସେଥିରେ ନିଜର ପରିବାର ପ୍ରତିପୋଷଣ କରିଥିଲେ। ହେଲେ କରୋନା ପାଇଁ ସବୁ କିଛି ସରିଗଲା। ବସ୍ ଚଳାଚଳ ବନ୍ଦ ହେବା ପରେ ନିଜ କାମ ହରାଇଲେ। ସେଠାରେ ରହିବାରେ ଅସୁବିଧା ହେବାରୁ ନିଜ ଘରକୁ ଫେରିବାକୁ ଚାହିଁଲେ। ହେଲେ ଗାଡ଼ି ଚଳାଚଳ ବନ୍ଦ ଥିବାରୁ ଶେଷରେ ଚାଲିଚାଲି ଘରକୁ ଫେରିବାକୁ ସ୍ଥିର କଲେ। ସେ ୩ ଦିନ ହେଲା ଭୁବନେଶ୍ୱରରୁ ଚାଲିଚାଲି ପ୍ରାୟ ୧୩୦ କିଲୋମିଟର ଅତିକ୍ରମ କରି ଆଜି ସକାଳେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗରରେ ପହଞ୍ଚିଥିଲେ। ତାଙ୍କ ପାଖରେ କିଛି ଖାଇବାକୁ ନଥିଲା।

ଆମ କାମାକ୍ଷାନଗର ପ୍ରତିନିଧି ରାକେଶ କୁମାରଦେହୁରୀ ଏହା ଜାଣିବା ପରେ କାମାକ୍ଷାନଗର ଏନ୍ଏସି ନିର୍ବାହୀ ଅଧିକାରୀ ବିରଜା ପ୍ରସାଦ ରଥଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶ୍ରୀ ରଥ ତାଙ୍କର କର୍ମଚାରୀ ଧର୍ମାନନ୍ଦ ସାହୁଙ୍କୁ ତୁରନ୍ତ ପଠାଇ ରାଜକିଶୋରଙ୍କର ଖାଇବା ବ୍ୟବସ୍ଥା କରିବା ସହ କିଛି ଆର୍ଥିକ ସହାୟତା କରିଥିଲେ। ତାଙ୍କର ଏ ଯାତ୍ରା ଏ ସଂପର୍କରେ ରାଜକିଶୋରଙ୍କୁ ପଚାରିବାକୁ ସେ କହିଥିଲେ, ୩ ଦିନ ଧରି ଏତେ ବାଟ ଅତିକ୍ରମ କରିବା ପରେ ମଧ୍ୟ ସେ ଥକି ନାହାନ୍ତି। ତେବେ ଏତିକି ଦୁଃଖ ଯେ, ପାଖରେ ଯାହା କିଛି ଖାଇବାକୁ ଥିଲା ସାରିଯାଇଛି। ତାଙ୍କ ଘରକୁ ଯିବାକୁ ହେଲେ ଆହୁରି ୧୦୦ରୁ ଅଧିକ କିଲୋମିଟର ଚାଲିଯିବାକୁ ପଡ଼ିବ। ଯେତେ କଷ୍ଟ ହେଉ ପଛେ ଘରେ ପହଞ୍ଚିବାକୁ ଉଦ୍ୟମ ଜାରି ରଖିଛନ୍ତି ବୋଲି କହିଥିଲେ ରାଜକିଶୋର। ଏହାପରେ ସେ ପୁଣି ତାଙ୍କ ଗନ୍ତବ୍ୟ ସ୍ଥାନକୁ ଚାଲିଚାଲି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe