ସୀମାରେ ଜଗିଛି ପୁଲିସ, ଗଳାବାଟ ଦେଇ ଗାଁକୁ ଫେରୁଛନ୍ତି ପ୍ରବାସୀ । କୋରାପୁଟ ବୈପାରୀଗୁଡା ବ୍ଲକର ଗ୍ରାମାଂଚଳରେ ଚିନ୍ତା ବଢାଉଛନ୍ତି ପ୍ରବାସୀ ଶ୍ରମିକ ।

175

କନକ ବ୍ୟୁରୋ: କରୋନା କାଳରେ ପୁଣି ଫେରିଲା ପ୍ରବାସୀ ଶ୍ରମିକଙ୍କ ସୁଅ । ଜୀବନ ଜୀବିକା ପାଇଁ ଗାଁ ଛାଡ଼ିଥିଲେ ଆଉ ଏବେ ତାଲାବନ୍ଦ ଯୋଗୁଁ କର୍ମସ୍ଥଳ ଛାଡି ପୁଣି ଭିଟାମାଟିକୁ ଫେରୁଛନ୍ତି ପ୍ରବାସୀ । ହେଲେ ଫେରିବା ରାସ୍ତାରେ କରୋନା କଟକଣା ପ୍ରତିବନ୍ଧକ ହେବାରୁ ଗଳା ବାଟ ଦେଇ ଗାଁ ଫେରୁଛନ୍ତି ପ୍ରବାସୀ । ଯାହା କୋରାପୁଟ ଜିଲ୍ଳା ବୈପାରିଗୁଡ଼ା ବ୍ଳକ ପ୍ରଶାସନର ଚିନ୍ତା ବଢାଇ ଦେଇଛି ।

ମୁଣ୍ଡରେ ବୋଝ, ହାତରେ ଛୁଆ ଆଉ ପାଦରେ ଚାଲି ଚାଲି ଲମ୍ବା ରାସ୍ତା ଅତିକ୍ରମ କରିବାର ଆଶା । କର୍ମସ୍ଥଳିରୁ ମାଲିକ ତଡି ଦେବା ପରେ ଭିଟାମାଟିକୁ ଫେରିବା ଛଡା ଆଉ କିଛି ବିକଳ୍ପ ନାହିଁ । ହେଲେ ଘରକୁ ଫେରିବା ବାଟରେ ଅଡୁଆ କରୁଛି କରୋନା କଟକଣା । ରାଜ୍ୟକୁ ଅନ୍ତଃରାଜ୍ୟ ବସ ଚଳ ବନ୍ଦ ଥିବାରୁ ପିଲାଛୁଆଙ୍କୁ ଧରି ଚାଲି ଚାଲି ଘରକୁ ଫେରୁଛନ୍ତି କୋରାପୁଟ ବୈପାରୀଗୁଡା ବ୍ଲକର ପ୍ରବାସୀ ଶ୍ରମିକ ।

ଗାଁକୁ ଫେରୁଥିବା ଅଧିକାଂଶ ଶ୍ରମିକ ଆନ୍ଧ୍ରର ବିଭିନ୍ନ ଇଟାଭାଟିରେ କାମ କରୁଥିଲେ । ତାଲାବନ୍ଦରେ ସବୁ କାମଧନ୍ଦା ବନ୍ଦ ହୋଇଯିବାରୁ ଭାଟି ମାଲିକ ପ୍ରବାସୀ ଶ୍ରମିକଙ୍କୁ ତଡି ଦେଇଛନ୍ତି । ଏପରିକି ପାରିଶ୍ରମିକ ନଦେଇ ଘରକୁ ଫେରି ଯିବା ପାଇଁ ବାଧ୍ୟ କରିଛନ୍ତି । ମହାମାରୀ ବେଳେ ଜୀବନ ବଂଚାଇ ପ୍ରବାସୀ ଘରକୁ ଫେରିଆସିଛନ୍ତି । ରାଜ୍ୟ ବାହାରୁ ଫେରୁଥିବା ପ୍ରବାସୀଙ୍କ ଉପରେ ନଜର ରଖିବା ପାଇଁ ସୀମାରେ ପ୍ରଶାସନିକ ଅଧିକାରୀ ଡେରା ପକାଇଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚ କରିବା ସହ ୧୪ ଦିନିଆ ସଂଗରୋଧରେ ରଖିବାର ବ୍ୟବସ୍ଥା କରିଛନ୍ତି ।

କୋରାପୁଟ ବୈପାରୀଗୁଡାର ଶ୍ରମିକ ମୁଖ୍ୟ ରାସ୍ତା ନଦେଇ ଗଳା ବାଟରେ ଗାଁକୁ ଫେରି ଆସୁଛନ୍ତି । ଯାହା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ଏହାଫଳରେ ଗ୍ରାମାଂଚଳରେ କରୋନା ସଂକ୍ରମଣ ବଢିବାର ଆଶଙ୍କା ରହିଛି ।