ଦାଦନ ରୂପରେ ଦୁର୍ଗା ମାଆ… ଜଗତ ଜନନୀଙ୍କ ଜାଗାରେ ପେଣ୍ଡାଲରେ ପୂଜା ପାଇବେ ପ୍ରବାସୀ ମାଆ । ଦେଶ ଦେଖିବ ପ୍ରବାସୀ ମହିଳାଙ୍କ ଲଡକାଉନ ବେଳର ଲହୁଲୁହର କାହାଣୀ…

ମାଆ କେବେ ଯାଏ ନା ଆସେ । ମାଆ ଏଇଠି ଥାଏ, ଆମ ପାଖରେ ଥାଏ । ଅଦୃଶ୍ୟ ଶକ୍ତି ସାଜି ଆମ ଭଲମନ୍ଦ ବୁଝୁଥାଏ, ଆମ ଲୁହ ପୋଛୁଥାଏ, ଦୁଃଖ ହାରୁଥାଏ... କିଏ ରକ୍ତ ମାଂସର ମାଆକୁ ପୂଜୁଥାଏ ତ ଆଉ କିଏ ମାଟିର ମାଆକୁ । ସେଇଥିପାଇଁ ତ ମାଆ ଜନ୍ମମୃତ୍ୟୁର ନାଁ... ମାଆର ପ୍ରକୃତ ମୂଲ୍ୟ ବୁଝିବାକୁ ଏ ଫଟୋଟି ଯଥେଷ୍ଟ...

587

କନକ ବ୍ୟୁରୋ: କୁହାଯାଏ ପାର୍ବଣ ଆସିଲେ ମାଆ ଆସନ୍ତି । ଶରତ ଆସିଲେ ମାଆଙ୍କ ଆଗମନୀ ହୁଏ । ଆଉ ଧରାବତରଣ କରନ୍ତି ମାଆ ଜଗତ ଜନନୀ । ହେଲେ ପାର୍ବଣ ପୂର୍ବରୁ କିନ୍ତୁ ମାଆ ପାଖରେ ଥାଆନ୍ତି । ମାଆ କେବେ ଯାଏ ନା ଆସେ । ମାଆ ଏଇଠି ଥାଏ, ଆମ ପାଖରେ ଥାଏ । ଅଦୃଶ୍ୟ ଶକ୍ତି ସାଜି ଆମ ଭଲମନ୍ଦ ବୁଝୁଥାଏ, ଆମ ଲୁହ ପୋଛୁଥାଏ, ଦୁଃଖ ହାରୁଥାଏ… କିଏ ରକ୍ତ ମାଂସର ମାଆକୁ ପୂଜୁଥାଏ ତ ଆଉ କିଏ ମାଟିର ମାଆକୁ । ସେଇଥିପାଇଁ ତ ମାଆ ଜନ୍ମମୃତ୍ୟୁର ନାଁ… ମାଆର ପ୍ରକୃତ ମୂଲ୍ୟ ବୁଝିବାକୁ ଏ ଫଟୋଟି ଯଥେଷ୍ଟ…

ଦୁର୍ଗାଙ୍କ ସ୍ଥାନରେ ଏଥର ପୂଜା ପାଇବେ ପ୍ରବାସୀ ମାଆ । ଲକଡାଉନ ସମୟରେ ପ୍ରବାସୀ ମହିଳାମାନେ କାଖରେ ପିଲା ଧରି କେତେ କଷ୍ଟରେ ଘରକୁ ଫେରିଥିଲେ, ନିଜ ପିଲାଙ୍କ ପେଟରେ ଦାନା ଦେବାକୁ କେତେ ସଙ୍ଘର୍ଷ କରିଥିଲେ । ସଙ୍କଟ ବେଳର ସେହି ମାଆମାନଙ୍କ ତ୍ୟାଗ, ବଳିଦାନ ଓ ପରିଶ୍ରମକୁ ମନେ ପକାଇଛନ୍ତି କୋଲକାତାର ଏକ ପୂଜା ପେଣ୍ଡାଲ । ଆଉ ସେମାନଙ୍କୁ ସମ୍ମାନ ଜଣାଇ ତାଙ୍କ ଦୁଃଖକୁ ଦେଖାଇବାକୁ ଯାଇ ଦୁର୍ଗାଙ୍କ ସ୍ଥାନରେ ଏଥର ଗଢାଯାଇଛି ଏମିତି ମୂର୍ତ୍ତି । ତେବେ ଦୁର୍ଗାଙ୍କ ସ୍ଥାନରେ ଜଣେ ପ୍ରବାସୀ ମହିଳା ତା ପିଲାକୁ କାଖେଇଛି ଏବଂ ମୂର୍ତ୍ତୀର ପଛପଟେ ଅଷ୍ଟଭୂଜ ରହିଛି । ସେହିପରି ଜଣେ କୁନି ଝିଅ ପେଚାକୁ ଧରିଛି ଯାହା ମାଆ ଲକ୍ଷ୍ମୀଙ୍କ ସୂଚନା ଦେଉଛି ଆଉ ଅନ୍ୟ ଜଣେ ଝିଅ ହାତରେ ହାତୀକୁ ଧରିଛି ଯାହା ଗଣପତି ବାପାଙ୍କ ରୂପକୁ ଚିତ୍ରିତ କରୁଛି । ଦଶହରାରେ ଏଥର ପ୍ରବାସୀ ଶ୍ରମିକଙ୍କ ଦୁଃଖକୁ ଏମିତି ଢଙ୍ଗରେ ପ୍ରଦର୍ଶିତ କରାଯାଉଥିବାରୁ ଏ ଫଟୋଟି ବେଶ ଭାଇରାଲ ହେବାରେ ଲାଗିଛି ।

ତେବେ ଲକଡାଉନ ବେଳେ ଅନେକ ପ୍ରବାସୀ ମାଆଙ୍କ ଦୁଃଖ ଦେଖିଛି ଏ ଦେଶ । ରାସ୍ତାରେ ମାଇଲ ମାଇଲ ବାଟ ପାଦରେ ଚାଲି ଚାଲି ଫେରିବା ବେଳେ ମାଆମାନଙ୍କ ଯନ୍ତ୍ରଣା ମାପିଛି ଏ ମାଟି । ଏପ୍ରିଲ, ମେ’ ଧୁଧୁ ଖରାରେ ଯେତେବେଳେ ଜୀବନ ପୋଡିଯାଉଥିଲା, ଦେହ ଝାଉଁଳିଯାଉଥିଲା ଠିକ ସେତିକି ବେଳେ ନିଜ ପିଲା ମୁଣ୍ଡରେ ତା ଚିରା କାନିକୁ ଢାଙ୍କି ଅସରନ୍ତି ରାସ୍ତାରେ ଅସହାୟ ମାଆଟିଏ ଆଗେଇ ଆଗେଇ ଯାଉଥିଲା । ତତଲା ପିଚୁରେ ପାଦ ଫୋଟକା ହୋଇଯାଉଥିଲା, ଚମଡା ଛେଲି ହୋଇଯାଉଥିଲା । ତଥାପି ମାଆଟିଏ ମମତା ପାଇଁ ଥକୁନଥିଲା । କେବେ ତା ଥକିପଡିଥିବା ଛୁଆକୁ ସୁଟକେଶରେ ଶୁଆଇ ଦେଇ ଆଗେଇ ଚାଲିଥିଲା ତ କେବେ ତା ସୁନା ପିଲାକୁ ଖାଇବା ଟିକେ ଦବୋକୁ ମାଆଟିଏ ଅଳିଆଗଦା ଅଣ୍ଡାଳୁଥିଲା । ଛୁଆକୁ ସୁରକ୍ଷା ଦେବାକୁ ମହିଷାସୁରକୁ ମାରିବା ପରି ବାଟସାର ମହାମାରୀକୁ ମାରି ମାରି ମାଆ ମହିଷାମର୍ଦ୍ଦିନୀ ସାଜିଥିଲା ।

ମାଆକୁ ମାପିବା ସହଜ ନୁହେଁ, ମାଆକୁ ବୁଝିବା ବାଁ ହାତର କଥା ନୁହେଁ । ମାଆ, ମାଟିରୁ ଆକାଶ । କେବେ ସେ ସ୍ନେହମୟୀ, ମମତାମୟୀ ତ କେବେ ଦୁର୍ଗତୀନାଶିନୀ । ପିଲାକୁ ଖୁଆଇ ନିଜେ ଭୋକେ ରହି ମାଆ ଉପାସ ଶୋଇପଡେ ତ କେଉଁଠି ମଲାଯାଏଁ ମାଆ ପିଲାଙ୍କ ବୋଝ ବହୁଥାଏ । ସେଇଥିପାଇଁ ତ ମାଆ ସହିପାରୁଥିବା, ସଂହାର କରିପାରୁଥିବା, ଯନ୍ତ୍ରଣାର ନିଆଁରେ ଜଳିପାରୁଥିବା ଜଣେ ଜୀବନ୍ତ ଦେବୀ…