କଳାହାଣ୍ଡିରେ ବଢୁଛି ଦାଦନ ଶ୍ରମିକଙ୍କ ସଂଖ୍ୟା । ନିର୍ଯାତନା ସହ ବଢୁଛି ମୃତ୍ୟୁ ସଂଖ୍ୟା, ସଚେତନ ପରେ ବି ଲାଗିପାରୁନି ରୋକ୍

71

କନକ ବ୍ୟୁରୋ : ଥମୁନି ଦାଦନ ଦୁଃଖ । କଳାହାଣ୍ଡିରେ ବଢୁଛି ଦାଦନଙ୍କ ସଂଖ୍ୟା । ଜିଲ୍ଲାର ପ୍ରାୟ ୧୩ଟି ବ୍ଳକରୁ ପ୍ରତିଦିନ ଶହଶହ ଶିକ୍ଷିତ ବେରୋଜଗାର ବାହାର ରାଜ୍ୟକୁ କାମ କରିବାକୁ ଚାଲିଯାଉଛନ୍ତି । ପ୍ରତିଦିନ ବାହାର ରାଜ୍ୟରେ ବହୁ ଲୋକ ଶ୍ରମିକ ଭାବେ କାମ କରୁଛନ୍ତି । ହେଲେ ସେଠି କାମ ବଦଳରେ ବହୁ ଲୋକଙ୍କୁ ଅକଥନୀୟ ନିର୍ଯାତନା ସହ ବହୁ ଜଣଙ୍କର ମୃତ୍ୟୁ ମଧ୍ୟ ହେଉଛି । ହେଲେ ଥମୁନି ଦଲାଲ ମାନଙ୍କ ରାଜ୍ । ନୂଆଖାଇ ପରେ ପରେ ସକ୍ରିୟ ହୋଇଯାନ୍ତି ଦଲାଲ ମାନେ । ଆଉ ବାହାରକୁ ସର୍ଦ୍ଦାର ହାତରେ ଟେକି ଦିଅନ୍ତି ଶ୍ରମିକ ମାନଙ୍କୁ । ତାପରଠୁ ପେଟ ପାଟଣା ପାଇଁ ଦାଦନର ଯନ୍ତ୍ରଣାର କାହାଣୀ ଆରମ୍ଭ ହୋଇଯାଏ ।

ମନରେଗା ଯୋଜନାରେ ଲୋକଙ୍କୁ ଶହେ ଦିନର କାମ ଯୋଗାଯାଉଛି । ହେଲେ ଲୋକଙ୍କ ବଦଳରେ କାମ କରୁଛି ମେସିନ୍ । ଫଳରେ ଅନ୍ୟ କିଛି ଉପାୟ ନପାଇ ପରିବାର ଚଳାଇବାକୁ ଲୋକେ ବାହାରକୁ ଦାଦନ ଖଟି ଯିବାକୁ ବାଧ୍ୟ ହେଉଛନ୍ତି । କିଛି ବାହାରକୁ ପରିବାର ଚଳାଇବାକୁ ଯାଉଥିବା ବେଳେ କିଛି ଦାଦନ ଅଧିକ ଆୟ ପାଇଁ ବାହାରକୁ ଯାଉଛନ୍ତି । ପ୍ରତିଦିନ ହଜାର ହଜାର ଲୋକ ଦାଦନ ଖଟିବାକୁ ଯାଉଥିଲେ ବି ଶ୍ରମ ବିଭାଗରୁ ନେଇ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଯେମିତି ସ୍ଥାଣୁ ପାଲଟିଛି ।

ବହୁ ନିୟମ କଟକଣା ପରେ ବି ପ୍ରତିବର୍ଷ କଳାହାଣ୍ଡିରୁ ଶହଶହ ଲୋକ ଦାଦନ ଖଟିବାକୁ ବାହାରକୁ ଯାଇ ନିର୍ଯାତିତ ହେଉଛନ୍ତି । ଏଥିପ୍ରତି ଏବେଠାରୁ ରୋକ୍ ଲଗାଯିବା ଜରୁରୀ ହୋଇପଡିଛି ।