ପୁଣିଥରେ କେବେ କାଶ୍ମୀର ଆସିବୁନି, ଆଖିରେ ଲୁହ ମନରେ କୋହ ଚାପି ଜମ୍ମୁ କାଶ୍ମୀରରୁ ଫେରୁଛନ୍ତି ପ୍ରବାସୀ । ଜାଣନ୍ତୁ କାହିଁକି?

278

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ପ୍ରବାସୀଙ୍କୁ ଲଗାତାର ହତ୍ୟା କରାଯାଉଥିବା ବେଳେ ଘାଟି ଉପତ୍ୟକାରେ ଭୟର ବାତାବରଣ ଖେଳିଯାଇଛି । ରୋଜଗାର ପାଇଁ ଭାରତର ଭୁସ୍ୱର୍ଗ କୁହାଯାଉଥିବା କାଶ୍ମୀରକୁ ଆସିଥିବା ପ୍ରବାସୀ ମାନେ ଘରମୁହାଁ ହୋଇଛନ୍ତି । ଅନ୍ୟ ରାଜ୍ୟର ଲୋକ ଏବେ ଜମ୍ମୁ-କାଶ୍ମୀରରୁ ପଳାୟନ କରୁଥିବା ବେଳେ ରବିବାର ବିହାରର ଦୁଇ ପ୍ରବାସୀଙ୍କୁ ଆତଙ୍କବାଦୀ ହତ୍ୟା କରିବା ପରେ ରେଳଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କର ଭିଡ଼ ବଢିବାରେ ଲାଗିଛି । ଟ୍ରେନ ପହଞ୍ଚିବାର ଅନେକ ପୂର୍ବରୁ ପ୍ରବାସୀ ଶ୍ରମିକ ରେଳ ଷ୍ଟେସନରେ ପହଞ୍ଚୁଥିବାର ଦେଖିବାକୁ ମିଳୁଛି ।

ଆଉ ଘରକୁ ଫେରୁ ଫେରୁ ଅନେକ ପ୍ରବାସୀଙ୍କ ଆଖିରେ ଲୁହ ଦେଖିବାକୁ ମିଳିଛି । କିଛି ପ୍ରବାସୀ ଲୁହ ଛଳଛଳ ଆଖିରେ କହିଛନ୍ତି, ଆଉ ଆମେ କାଶ୍ମୀର ଆସିବୁନି, କାରଣ ଏଠାରେ ଆତଙ୍କବାଦୀ ମାନେ ଆମକୁ ଧମକ ଦେଉଛନ୍ତି ଖୋଜି ଖୋଜି ହତ୍ୟା କରୁଛନ୍ତି । ଏଭଳି ସ୍ଥିତିରେ ଆମ ପାଖରେ ଅର୍ଥ ମଧ୍ୟ ନାହିଁ, କିନ୍ତୁ ଖାଲି ହାତରେ ଘରକୁ ଫେରିବାକୁ ପଡୁଛି । ଆଉ କେତେ ଦିନ ବା ଏଠାରେ ଭୟରେ ଜୀବନ ବିତାଇବୁ ।

ଗତ କିଛି ଦିନ ହେବ କାଶ୍ମୀର ବାହାରର ଲୋକଙ୍କୁ ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ । ପ୍ରବାସୀ ଶ୍ରମିକଙ୍କ ଠାରୁ ଆରମ୍ଭ କରି ପ୍ରବାସୀ ବାସିନ୍ଦାଙ୍କୁ ନିର୍ମମ ଭାବେ ହତ୍ୟା କରୁଛନ୍ତି ଆତଙ୍କବାଦୀ । ଅକ୍ଟୋବରରେ ଆତଙ୍କବାଦୀ ମାନେ କାଶ୍ମୀରରେ ୧୧ ଜଣ ସାଧାରଣ ଲୋକଙ୍କୁ ହତ୍ୟା କରି ସାରିଲେଣି । ଆଉ ଏହାର ଜବାବରେ ଆତଙ୍କବାଦୀଙ୍କୁ ନିପାତ କରିବାକୁ ସେନା ଅପରେସନ ଆରମ୍ଭ କରିଛି । ଲଗାତାର ୧୩ ଦିନ ହେବ ସେନା ପକ୍ଷରୁ ଅପରେସନ ଜାରି ରହିଥିବା ବେଳେ ଆତଙ୍କବାଦୀ କିନ୍ତୁ ଲୁଚିଛପି ଆକ୍ରମଣ କରୁଛନ୍ତି । ଯାହା କାଶ୍ମୀର ଘାଟିରେ ଏବେ ସାଧାରଣ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି । ଆତଙ୍କବାଦୀଙ୍କ ବିରୋଧରେ ଆରମ୍ଭ ହୋଇଥିବା ଅପରେସନରେ ୯ ଜଣ ଯବାନ ଦେଶ ପାଇଁ ସହିଦ ହୋଇଛନ୍ତି ।