ଅଧରାସ୍ତାରେ ଚାଲିଗଲା ଜୀବନ । କୋରାପୁଟ ବୋରିଗୁମ୍ମା ରାଜପଥ କଡରେ ପ୍ରାଣ ହାରିଲେ ହାଇଦ୍ରାବାଦରୁ ନୂଆପଡା ଫେରୁଥିବା ପ୍ରବାସୀ ଶ୍ରମିକ ।

232

କନକ ବ୍ୟୁରୋ: ଅଧରାସ୍ତାରେ ଫେରନ୍ତା ପ୍ରବାସୀଙ୍କ ମୃତ୍ୟୁ । କରୋନା ମହାମାରୀ ଯୋଗୁଁ କାମ ବନ୍ଦ ହୋଇଯିବା ପରେ ଜୀବନ ବିକଳରେ ଭିଟାମାଟିକୁ ଫେରୁଥିଲେ । ହେଲେ ଘରେ ପହଂଚିବା ଆଗରୁ ଅଧରାସ୍ତାରେ ଚାଲିଗଲା ଜୀବନ । ସ୍ୱାମୀଙ୍କ ମୃତଦେହ ପାଖରେ ଏକାକି ଚାହିଁ ରହିଗଲେ ପତ୍ନୀ । ସ୍ୱାମୀ-ସ୍ତ୍ରୀ ଦୁହେଁ ମିଶି ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ । କରୋନା କାଳରେ ମାଲିକ କାମ ବନ୍ଦ କରିଦେବା ପରେ ଘରକୁ ଫେରି ଆସୁଥିଲେ ପ୍ରବାସୀ ଶ୍ରମିକ । ହେଲେ ଘରେ ପହଂଚି ପାରିଲେ ନାହିଁ । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଳାର ବୋରିଗୁମ୍ମା ବ୍ଳକର ଜାତୀୟ ରାଜପଥ କଡରେ ।

ରାସ୍ତାକଡରେ ସ୍ୱାମୀର ମୃତଦେହ ରଖି କାନ୍ଦୁଛନ୍ତି ସ୍ତ୍ରୀ । କିନ୍ତୁ କରୋନାର ଦୃଶ୍ୟ କେତେ ଯେ କରୁଣ ତାହା ଏହି ଘଟଣା ହିଁ ବୟାନ କରୁଛି । ପେଟ ପାଇଁ ଇଟାଭାଟିରେ ଦାଦନ ଖଟିବାକୁ ଯାଇଥିଲେ ହାଇଦ୍ରାବାଦ । ଆଉ ଘରକୁ ଫେରିବା ବେଳେ ଅଧାରାସ୍ତାରେ ସ୍ତ୍ରୀଙ୍କ ସାମ୍ନାରେ ଚିରନିଦ୍ରାରେ ଶୋଇଗଲେ ସ୍ୱାମୀ । ମହାମାରୀ ଯୋଗୁଁ ଘରକୁ ଫେରିବାକୁ କହିଥିଲେ ଇଟାଭାଟି ମାଲିକ । ଆଉ ଘରକୁ ଫେରିବାବେଳେ ଅଧାରାସ୍ତାରେ ଚାଲିଗଲା ପ୍ରବାସୀଙ୍କ ଜୀବନ ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଳାର ବୋରିଗୁମ୍ମା ବ୍ଳକର କସାଗୁଡ଼ା ଗ୍ରାମ ନିକଟ ଜାତୀୟ ରାଜପଥ କଡରେ ।

କରୋନା ପରେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗୁଣ୍ଠାବାଲି ଗାଁର ଶ୍ୟାମ ଭୋଇ ନିଜ ସ୍ତ୍ରୀ କ୍ଷୀର ଭୋଇଙ୍କ ସହ ୬ ମାସ ହେଲା ହାଇଦ୍ରାବାଦରେ କାମ କରୁଥିଲେ । କାମ ମଧ୍ୟ ଠିକ ଠାକ ଚାଲିଥିଲା । ହେଲେ କରୋନାର ଦ୍ୱିତୀୟ ଲହର କାମ ବନ୍ଦ ହୋଇଯିବାରୁ ଘରକୁ ଫେରି ଆସୁଥିଲେ ସ୍ୱାମୀ-ସ୍ତ୍ରୀ । ମଙ୍ଗଳବାର ଦିନ ହାଇଦ୍ରାବାଦରୁ ନିଜ ଗାଁ ଅଭିମୁଖେ ବାହାରିଥିଲେ । ଛତିଶଗଡ-ଓଡିଶା ସୀମାରେ ପଂହଚି ଅଟୋରେ ଘରକୁ ଫେରୁଥିବାବେଳେ ରାସ୍ତାରେ ଦେହ ଖରାପ ହୋଇଯାଇଥିଲା । ଆଉ ଶୌଚ ହେବାକୁ ଯିବାକୁ କହିବାର କିଛି ସମୟ ପରେ ଶ୍ୟାମଙ୍କ ପ୍ରାଣବାୟୁ ଉଡିଯାଇଥିଲା ।