ପୁଣି ପ୍ରବାସୀଙ୍କୁ କାମକୁ ଫେରିବାକୁ ବାଧ୍ୟ କଲା ଭୋକ : ଦିନେ ଭୁତାଣୁ ଭୟରେ ପ୍ରବାସୀଙ୍କ ହାତ ଛାଡ଼ିଦେଇଥିବା ମାଲିକ ଏବେ କର୍ମଚାରୀଙ୍କୁ ଫେରାଇ ଆଣିବା ପାଇଁ ପଠାଉଛନ୍ତି ବିମାନ / ଟ୍ରେନ୍ ଟିକେଟ୍

1,296

ଲକଡ଼ାଉନ୍ ସମୟରେ ଭୋକର ଭୟ ଏବଂ ନିରାଶରେ ନୟାନ୍ତ ହୋଇ ନିଜ ସ୍ୱପ୍ନର ସହରକୁ ଛାଡ଼ି ଗାଁମୁହାଁ ହୋଇଥିଲେ ଲକ୍ଷ ଲକ୍ଷ ପ୍ରବାସୀ । ଟ୍ରେନ୍ , ଟ୍ରକ୍ ,ବସ୍ , କଣ୍ଟେନର୍ , ପାଦରେ ଚାଲି , ସାଇକେଲରେ ଯାତ୍ରା କରି , କଂକ୍ରିଟ୍ ମେସିନ୍ ମିକ୍ସିଙ୍ଗ୍ ଯାନରେ ଲଦି ହୋଇ କିଏ କେଉଁ ଉପାୟରେ ଗାଁ ମୁହାଁ ହୋଇଥିଲେ । ହେଲେ ଏବେ ପୁଣି ସେହି ପେଟଚାଖଣ୍ଡକ ପାଇଁ ସହରମୁହାଁ ହୋଇଛନ୍ତି ପ୍ରବାସୀ । ପେଟର ଭୋକ ଏବେ ପୁଣି ପ୍ରବାସୀଙ୍କୁ ନିରୁପାୟ କରିଛି । ଗୁଜରାଟ, ମହାରାଷ୍ଟ୍ର,କର୍ଣ୍ଣାଟକ,ତେଲେଙ୍ଗାନା ଏବଂ ପଞ୍ଜାବ ଭଳି ରାଜ୍ୟକୁ ଫେରିଛନ୍ତି ଲୋକେ । ଯେଉଁ କମ୍ପାନୀର ମାଲିକମାନେ ଦିନେ କରୋନାର ଘଡ଼ିସନ୍ଧି ମୁହୂର୍ତ୍ତରେ ଏହି ପ୍ରବାସୀଙ୍କ ହାତ ଛାଡ଼ିଦେଇଥିଲେ ସେମାନେ ଆଜି କର୍ମଚାରୀଙ୍କୁ ଫେରିବା ପାଇଁ ଟ୍ରେନ୍ ଟିକେଟ୍ ଏବଂ ବିମାନ ଟିକେଟ୍ ପଠାଇ ଡ଼ାକରା ପଠାଉଛନ୍ତି । ଧିରେ ଧିରେ କାରଖାନା ଖୋଲିଲାଣି ଏବଂ କାମ ବି ବଢିଲାଣି , ନିଜ ସ୍ୱାର୍ଥକୁ ଦେଖି କମ୍ପାନୀ ମାଲିକ ପ୍ରବାସୀଙ୍କୁ ଫେରାଇ ଆଣିବା ପାଇଁ ଜାବତ୍ୟ ବ୍ୟବସ୍ଥା କରୁଛନ୍ତି । ଏକ୍ସପ୍ରେସ୍ ଟ୍ରେନରେ ପ୍ରବାସୀଙ୍କ ପୁଣି ଗହଳି ଜମୁଛି । ତାଲାବନ୍ଦ ସମୟରେ ତରତରରେ ଘରକୁ ଫେରିଥିବା ପ୍ରବାସୀ ଏବେ କାମକୁ ଫେରିବାକୁ ଅଣ୍ଟା ସଳଖିଲେଣି ।

ଲକଡ଼ାଉନ୍ ଆରମ୍ଭ ହେବା ପୂର୍ବରୁ କର୍ମଚାରୀଙ୍କ ପାଖରେ ଯେତେ ଟଙ୍କା ଥିଲା ତାହା ଶେଷ ହୋଇ ଆସିଥିଲା । ଆଉ ଏଭଳି ସମୟରେ ମନରେଗା ଯୋଜନାରେ କିଛି ଲୋକଙ୍କୁ କାମ ମିଳିଥିଲେ ହେଁ ଆଉ କିଛି ଜବ୍ କାର୍ଡ଼ ଅପେକ୍ଷାରେ ଥିଲେ । କାର୍ଡ଼ କେବେ ମିଳିବ, କାମ କେବେ ମିଳିବ ଏବଂ ପାଖକୁ ପାରିଶ୍ରମିକ କେବେ ଆସିବ ଏହି ଅନିଶ୍ଚିତତାରେ ପ୍ରବାସୀ ପୁଣିଥରେ କାମକୁ ଫେରିବାକୁ ମନସ୍ତ କରିଛନ୍ତି । କରୋନା ଭୁତାଣୁ ଭୟରେ ରହିଲେ ଭୋକରେ ପିଲାଛୁଆ ମରିଯିବେ ଭାବି କାମକୁ ଫେରୁଛନ୍ତି ଏହି ପ୍ରବାସୀ ।