କନକ ବ୍ୟୁରୋ: ରାସ୍ତା ଉପରେ ଟଳି ପଡିଲେ ପ୍ରବାସୀ ଶ୍ରମିକ । ଚାଲି ଚାଲି ଘରକୁ ଫେରୁଥିବା ବେଳେ ବାଲେଶ୍ୱର ଜିଲ୍ଲା ସୋର ନିକଟରେ ଘଟିଛି ଏହି ଦୁଃଖଦ ଘଟଣା । ୧୬ ନଂବର ଜାତୀୟ ରାଜପଥର ବରଫକଳ ଛକ ନିକଟରେ ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ପଶ୍ଚିମବଙ୍ଗର ଇଲୟର ମହମ୍ମଦ । ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହେଲା ଜଣାପଡିନାହିଁ ।
ଇଲୟର ମହମ୍ମଦ ଓ ତାଙ୍କ ପୁତୁରା ହାଇଦ୍ରାବାଦରେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ । ତାଲାବନ୍ଦ ଯୋଗୁଁ ଦାଦା ପୁତୁରା ହାଇଦ୍ରାବାଦରୁ ଚାଲି ଚାଲି ପଶ୍ଚମବଙ୍ଗ ବାହାରିଥିଲେ । ହେଲେ ସୋର ନିକଟରେ ଇଲୟର ମହମ୍ମଦଙ୍କ ମୃତ୍ୟୁ ହୋଇଛି । ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରି ସୋର ମେଡିକାଲକୁ ପଠାଇଛି ।