ହାଏରେ କରୋନା ଏ କି କଲୁ… ସ୍ତ୍ରୀ ଆଖି ଆଗରେ ସ୍ୱାମୀକୁ ଶବ କରିଦେଲୁ… ଭୂତାଣୁ ଭୟରେ ଭିଟାମାଟି ଫେରୁଥିଲେ, ଅଧାବାଟରେ ଶବ ପାଲଟିଗଲେ

610

କନକ ବ୍ୟୁରୋ: ଭୂତାଣୁ ଭୟରେ ଭିଟାମାଟି ଫେରୁଥିଲେ । ଜୀବନ ଯିବା ଆଗରୁ ପ୍ରାଣକୁ ପୁଟୁଳିରେ ବାନ୍ଧି ଘରମୁହାଁ ହେଉଥିଲେ । ହେଲେ ଘରେ ପହଞ୍ଚିବା ଆଗରୁ ଅଧା ରାସ୍ତାରେ ଉଡିଗଲା ପ୍ରାଣ । ଶବ ହେଲା ଶ୍ରମିକ, ମୁର୍ଦ୍ଦାର ପାଲଟିଲା ଦାଦନରୁ ଫେରୁଥିବା ମଣିଷ । ଆଉ ସ୍ତ୍ରୀ ଆଗରେ ସବୁଦିନ ପାଇଁ ଆଖିବୁଜିଲା ସ୍ୱାମୀ । କରୋନା ଭିତରେ ପୁଣି ଓଲଟିଲା ଗତବର୍ଷର ପୃଷ୍ଠା । କୋରାପୁଟରୁ ଆସିଲା ସେମିତି ଏକ କରୁଣ କାହାଣୀ ।

ହାଇଦ୍ରାବାଦରୁ ଫେରିବା ବେଳେ ଅଧରାସ୍ତାରେ ପ୍ରବାସୀଙ୍କ ମୃତ୍ୟୁ ହୋଇଛି । କରୋନାର ୨ୟ ଲହର ଦ୍ରୁତ ଗତିରେ ବଢିବା ଯୋଗୁଁ ଯେତେବେଳେ କାମଧନ୍ଦା ବନ୍ଦ ହୋଇଯାଉଛି । ସେତେବେଳେ ଜୀବନ ବିକଳରେ ଭିଟାମାଟିକୁ ଫେରୁଛି ଶ୍ରମିକ । ଦୀର୍ଘ ୬ ମାସ ହେବ ଦାଦନ ଖଟିଯାଇଥିବା ଶ୍ରମିକ ଦମ୍ପତି ଘରକୁ ଫେରୁଥିଲେ । ଇଟା ଭାଟି ବନ୍ଦ ହୋଇଯିବା ପରେ ମାଲିକ ତଡିଦେଇଥିଲା ଆଉ ସେମାନେ ପେଟିପୁଟୁଳି ଧରି ଗାଁମୁହାଁ ହୋଇଥିଲେ । ହେଲେ ଘରେ ପହଞ୍ଚିବା ଆଗରୁ ଅଧରାସ୍ତାରେ ଚାଲିଯାଇଛି ସ୍ୱାମୀଙ୍କ ଜୀବନ, ସ୍ତ୍ରୀକୁ ଛାଡିଯାଇଛି ପ୍ରାଣ ।

ସାଙ୍ଗହୋଇ ଘରକୁ ଫେରିବା ବେଳେ ଛତିଶଗଡ ସୀମାରେ ବସ ବନ୍ଦ ଥିବାରୁ ଅଟୋ ଯୋଗେ ନୂଆପଡା ସିନାପାଲି ବ୍ଳକ ଗୁଠାବାଲି ଗାଁକୁ ଯାଉଥିଲେ ଶ୍ୟାମ ଭୋଇ ଓ ତାଙ୍କ ସ୍ତ୍ରୀ କ୍ଷୀର ଭୋଇ । ଶ୍ୟାମଙ୍କୁ ଜ୍ୱର ହୋଇଥିବାରୁ ବାଟରେ ଓହ୍ଲାଇ ଶୌଚ ପାଇଁ ଯାଇଥିଲେ । ଆଉ ତାପରେ ସେଇଠି ହିଁ ଟଳିପଡିଥିଲେ । ସ୍ତ୍ରୀ ଆଗରେ ସ୍ୱାମୀ ଶବ ସାଜିବା କାନ୍ଦି କାନ୍ଦି ଚିତ୍ସାର କରୁଛନ୍ତି କ୍ଷୀର । କୋରାପୁଟ କସାଗୁଡ଼ା ନିକଟ ଜାତୀୟ ରାଜପଥ କଡର ଏ ଅଭାବନୀୟ  ଚିତ୍ର ସାରା ଓଡିଶାକୁ ବିଚଳିତ କରିବା ସହ ପୁଣି ଥରେ ବିଗତ ବର୍ଷର ବିଭତ୍ସ କାହାଣୀ ସବୁ ମନେପକାଇ ଦେଇଛି ।

ଗତବର୍ଷ ଶ୍ରମିକ ଯେଉଁ ଶାସ୍ତି ପାଇଥିଲା ତାହା ଏବର୍ଷ ଯେମିତି ପୁନରାବୃତି ନହେଉ ସେଥିପାଇଁ ଧିରେଧିରେ ସହର ଛାଡିବା ଆରମ୍ଭ କଲେଣି ଶ୍ରମିକ । ବର୍ଷେ ତଳେ କଟକଣା ପାଇଁ ଶ୍ରମିକ ଯେଉଁ ଦୁଃଖ ପାଇଛି, ସେ ଦରଜ ଆଜି ବି ଯାଇନି ଆଉ ଦ୍ୱିତୀୟ ଦଫାରେ ଦାଦନ ଶ୍ରମିକ ପୁଣି ଥରେ ସେ ଦୁଃଖ ନପାଉ । ତେଣୁ ପରିସ୍ଥିତି ଭୟାବହ ହେବା ପୂର୍ବରୁ ପୁଣି ବାଟ ଚଲା ଆରମ୍ଭ କଲେଣି । ଆଉ ବାଟ ଚାଲିବା ବେଳେ  ବାଟ ମଝିରେ ଶ୍ରମିକ ଶବ ପାଲଟିବା ଘଟଣା ପୁଣି ଥରେ ଭୟ ଭରିଲାଣି…