କନକ ବ୍ୟୁରୋ : ରୋଜଗାରିଆ ପୁଅ ଗାଁକୁ ଫେରିଛି । ଜୀବନ୍ତ ନୁହେଁ ଶବ ହୋଇ ଫେରିଛି । ମୃତଦେହ ପହଂଚିବା ପରେ ଯନ୍ତ୍ରଣାରେ ଫାଟି ପଡୁଛି ଘାଟି ଅଂଚଳ । ପେଟ ପାଇଁ ଦାଦନ ବାଟ ବାଛିଛନ୍ତି ବଣ୍ଡାଘାଟିକ ଭେଣ୍ଡିଆ ଯୁବକ । ଆଉ ଦାଦନ ଖଟୁଥିବା ବେଳେ ଯୁବକଙ୍କ ମୃତ୍ୟୁ ପରେ ସ୍ତବ୍ଧ ହୋଇଯାଇଛି ପୁରା ଘାଟି ଅଂଚଳ । ୨ ମାସ ତଳେ ରୋଜଗାର ଆଶାରେ ହାଇଦ୍ରାବାଦ ଯାଇଥିବା ପୁଅ ଟଙ୍କା ଆଣି ଘରକୁ ଫେରିବ ବୋଲି ଆଶା ବାନ୍ଧିଥିଲେ ପରିବାର ଲୋକେ । ହେଲେ ସମୟ ସ୍ରୋତରେ ସବୁ ବଦଳିଗଲା । ୫ ମହଲା କୋଠା ନିର୍ମାଣ କାମ କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଶବ ପାଲଟି ଯାଇଛନ୍ତି ଭେଣ୍ଡିଆ ପୁଅ ।

Advertisment

ପିଲାଟି ଦିନରୁ ବଣ ପାହାଡ ଘେରା ବଣ୍ଡା ପାହାଡରେ ବଂଚୁଥିବା ପୁଅ ରାଜଧାନୀ ଯାଇ ଉଚ୍ଚ ଶିକ୍ଷା ଲାଭ କରିଛନ୍ତି । ହେଲେ ସ୍ଥାନୀୟ ଅଂଚଳରେ ନିଯୁକ୍ତି ମିଳୁନଥିବାରୁ ପୁଅ ଦାଦନ ଖଟିବାକୁ ବାଧ୍ୟ ହେଉଛି । ରୋଜଗାର କରି ପରିବାର ଚଳାଇବା ପାଇଁ ବାହାର ରାଜ୍ୟକୁ ପାଦ କାଡୁଛନ୍ତି । ଆଉ ଅନେର ସମୟରେ ଶବ ହୋଇ ଘରକୁ ଫେରୁଛନ୍ତି । ମୃତଦେହ ଗାଁରେ ପହଂଚିବା ପରେ ପ୍ରଶାସନିକ କଳ ସହିତ ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ୍ର ବାକା ଗାଁରେ ପହଂଚିଥିଲେ । ବ୍ଲକ ତରଫରୁ ଜାତୀୟ ପରିବାର କଲ୍ୟାଣ ଯୋଜନା ମାଧ୍ୟମରେ ୨୦ ହଜାର , ରେଡକ୍ରସ୍ରୁ ୧୦ ହଜାର ଏବଂ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ପ୍ରଦାନ କରାଯାଉଛି ।

ବଣ୍ଡାଘାଟିର ଶିକ୍ଷିତ ଯୁବକ ଯୁବତୀଙ୍କୁ ସ୍ଥାନୀୟ ଅଂଚଳରେ ନିଯୁକ୍ତି ଦେବା ପାଇଁ ବିଡିଏ, ଓପିଲିପି, ବିକାଶ ନାମକ ସଂସ୍ଥା କାର୍ଯ୍ୟ କରୁଛି । ହେଲେ ଘାଟି ଅଂଚଳରେ ଏହି ସଂସ୍ଥା ଗୁଡିକର ମୁଳ ଲକ୍ଷ୍ୟରୁ ଓହରି ଯାଇଛନ୍ତି । ରୋଜଗାର ବିକଳ୍ପ ବ୍ୟବସ୍ଥା ନ ପାଇ ଭୋକ ମେଟାଂଇବା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେଉଛନ୍ତି ବଣ୍ଡା ଯୁବକ ଯୁବତୀ ।