ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପନେଲା ‘ମିଗଜୋମ’ । ପ୍ରଭାବରେ ଓଡ଼ିଶାରେ ପବନ କମ୍, ଦକ୍ଷିଣ ଉପକୂଳବର୍ତୀ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା

2,593

କନକ ବ୍ୟୁରୋ : ବଙ୍ଗୋପସାଗରରେ ବଳ ଗୋଟାଇ ଅଧିକ ଘନୀଭୂତ ହେବା ସହ ଭୀଷଣ ବାତ୍ୟାର ରୂପ ନେଇଛି ‘ମିଗଜୋମ୍’ । ଏହାର ବଡ଼ ପ୍ରଭାବ ପଡିଛି ତାମିଲନାଡୁ ଉପକୂଳ ଅଞ୍ଚଳରେ । ଚେନ୍ନାଇରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି କରିଛି । କେଉଁଠି ଘର ଭିତରେ ପାଣି ପଶି ଗଲାଣି ତ କେଉଁଠି ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି । ରାସ୍ତା ଉପରେ ଅନେକ ଗାଡି ମୋଟର ଫସି ଯାଇଛି । ଆମ୍ବୁଲାନ୍ସ ଯିବା ଆସିବାରେ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ବଡ଼ ବଡ଼ ଗାଡି, କାର, ଅଟୋ ଆଦି ବୁଡି ରହିଥିବା ଦେଖିବାକୁ ମିଳିଛି । ଚେନ୍ନାଇ ଏୟାରପୋର୍ଟ ରନୱେ ମଧ୍ୟ ବର୍ଷା ପାଣିରେ ବୁଡିଯାଇଛି । ବର୍ଷା ସହ ପବନ ହେଉଥିବାରୁ ଜନଜୀବନ ପ୍ରଭାବିତ ହୋଇଛି । ଫଳରେ ରାସ୍ତାରେ ଅନେକ ଗଛ ଭାଙ୍ଗି ପଡ଼ିଥିବା ବେଳେ ରାସ୍ତା ସଫା ପାଇଁ ଯୁଦ୍ଧକାଳୀନ ଭିତିରେ ଉଦ୍ୟମ ଆରମ୍ଭ କରିଛି ପ୍ରଶାସନ । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେଉଥିବାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ବାତ୍ୟା ମୁକାବିଲା ଓ ଜଳ ନିଷ୍କାସନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ । କଂଟ୍ରୋଲ୍ ରୁମ୍ ପରିଦର୍ଶନ କରି ସଜାଗ ରହିବାକୁ କହିଛନ୍ତି ଏମକେ ଷ୍ଟାଲିନ୍ । ଏପଟେ ଆନ୍ଧ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଅଧିକ ପ୍ରଭାବିତ ହେବା ଆଶଙ୍କା ଥିବାରୁ ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି ଆନ୍ଧ୍ର ସରକାର ।

ଡିସେମ୍ବର ୫ ତାରିଖ ପୂର୍ବାହ୍ଣରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା
ଆନ୍ଧ୍ରର ନେଲୋର ଓ ମଚ୍ଛଲିପଟନମ୍ ମଧ୍ୟରେ ଅତିକ୍ରମ କରିବ ‘ମିଗ୍ଜୋମ୍’!
ଘଣ୍ଟା ପ୍ରତି ସର୍ବାଧିକ ୧୧୦ କିଲୋମିଟର ବେଗରେ ଦେଇପାରେ ଝଟକା

ଗତ ୬ ଘଂଟା ଧରି ଉତ୍ତର-ପଶ୍ଚିମ ଦିଗରେ ଆଗକୁ ବଢୁଛି ବାତ୍ୟା ମିଗଜୋମ୍ । କ୍ରମଶଃ ଆହୁରି ଘନିଭୂତ ହୋଇ ଉତ୍ତର ଦିଗରେ ଆନ୍ଧ୍ର ଉପକୂଳର ସମାନ୍ତରାଳ ଭାବେ ଗତି କରିବ । ବାତ୍ୟାର ସବୁଠୁ ବଡ଼ ପ୍ରଭାବ ପଡ଼ିବ ୫ ତାରିଖରେ । କାରଣ ପୂର୍ବାହ୍ଣ ସୁଦ୍ଧା ନେଲୋର ଓ ମଚ୍ଛଲିପଟନମ୍ ମଧ୍ୟରେ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ସମୟରେ ଘଣ୍ଟା ପ୍ରତି ୯୦ରୁ ୧୦୦ କିଲୋମମିଟର ବେଗରେ ବହିପାରେ ପବନ । ସ୍ଥଳ ବିଶେଷରେ ୧୧୦ କିଲୋମିଟର ବେଗରେ ଝଟକା ଦେଇପାରେ ପବନ ।

ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲିକାନଗିରି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା । ୫ ତାରିଖରେ ୫ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ପୁରୀ ଜିଲ୍ଲାରେ ମଧ୍ୟ ବର୍ଷା ଆଶଙ୍କା ରହିଛି । ମୁକାବିଲା ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀଙ୍କୁ ପ୍ରସ୍ତୁତ ରଖାଯାଇଛି । ଲ୍ୟାଣ୍ଡଫଲ ସମୟରେ ଆନ୍ଧ୍ର ଉପକୂଳରେ ଉଠିପାରେ ଦେଢ଼ ମିଟର ପର୍ଯ୍ୟନ୍ତ ଜୁଆର । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।