ସୀମାରେ ଅନୁପ୍ରବେଶ ଏବଂ ଶତ୍ରୁ ଉପରେ କଡା ନଜର ରଖିବା ପାଇଁ ଭାରତୀୟ ବାୟୁସେନା କରୁଛି ଏକ ବଡ଼ ପ୍ରସ୍ତୁତି ।

Kanak News is now on WhatsApp
Join and get latest news updates delivered to you via WhatsApp
ଭାରତ ସରକାର ଖୁବ ଶୀଘ୍ର ରୁଷ ସହିତ ଏକ ବଡ ଚୁକ୍ତି କରିବାକୁ ଯାଉଛନ୍ତି
୧୨ ଟି ‘ସୁଖୋଇ’ ଫାଇଟର୍ ଜେଟ୍ କ୍ରୟ ଚୁକ୍ତି ଶେଷ ହେବାପରେ ଏବେ ଭାରତ ରୁଷରୁ ମିଗ୍-29 ଯୁଦ୍ଧ ବିମାନ କିଣିବାକୁ ପ୍ରସ୍ତୁତ ହେଉଛି । ସୂଚନାନୁସାରେ ଏହି ଚୁକ୍ତି ପାଇଁ ଆଲୋଚନା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭାରତୀୟ ବାୟୁସେନା (IAF) ପ୍ରାୟ ତିନି ଦଶନ୍ଧି ଧରି ମିଗ୍ -29 ଯୁଦ୍ଧ ବିମାନ ବ୍ୟବହାର କରିଆସୁଛି ଏବଂ ସେଗୁଡ଼ିକର କାର୍ଯ୍ୟଦକ୍ଷତା ନେଇ ସନ୍ତୁଷ୍ଟ ଅଛି । ବାୟୁସେନାରେ ବର୍ତ୍ତମାନ ମିଗ୍ -29 ର ତିନୋଟି ସ୍କ୍ୱାଡ୍ରନ ଅଛି । ଯାହା ଚୀନ୍ ଏବଂ ପାକିସ୍ଥାନ ସୀମା ସୁରକ୍ଷାରେ ନିୟୋଜିତ ଅଛି । ଚଳିତ ବର୍ଷ ଅଗଷ୍ଟରେ ଶ୍ରୀନଗର ଏୟାରବେସରେ ମିଗ -29 ର ଏକ ସ୍କ୍ୱାଡ୍ରନ ନିୟୋଜିତ କରାଯାଇଥିଲା ।
ରୁଷରୁ ଆସିବାକୁ ଯାଉଛି ଅତ୍ୟାଧୁନିକ ଯୁଦ୍ଧବିମାନ
ସୂଚନାନୁସାରେ ଭାରତ ମିଗ -29 ଯୁଦ୍ଧବିମାନକୁ ନେଇ ରୁଷ ସହ ଏକ ଗୁରୁତ୍ବପୁର୍ଣ ଚୁକ୍ତି କରିବାକୁ ଯାଉଛି । ଚୁକ୍ତି ଅନୁସାରେ ଭାରତ କେବଳ ମିଗ -29ର ଖାଲି ବଡି କିଣିବ ଏବଂ ଆବଶ୍ୟକତା ଅନୁଯାୟୀ ଏଥିରେ ରାଡାର, କ୍ଷେପଣାସ୍ତ୍ର ଏବଂ ଅନ୍ୟାନ୍ୟ ଉପକରଣ ଭାରତରେ ଲଗାଯିବ । କୁହାଯାଉଛି ଯେ ଏଥିରେ ନୂତନ ପିଢିର ବ୍ରହ୍ମୋସ କ୍ଷେପଣାସ୍ତ୍ର ନିୟୋଜିତ ହେବ। ଏହି ବ୍ରହ୍ମୋସ କ୍ଷେପଣାସ୍ତ୍ରର ଓଜନ ଦେଢ ଟନ୍ ହେବ ଏବଂ ଏହାର ମାରକ ସୀମା ୧୨୦୦ କିଲୋମିଟର ପର୍ଯ୍ୟନ୍ତ ରହିବ ।
ଚୀନ ପାକିସ୍ତାନର ନିଦ ହଜିଯିବ
ଭାରତୀୟ ବାୟୁସେନାରେ ବର୍ତ୍ତମାନ ଆବଶ୍ୟକ ଅନୁଯାୟୀ ଯୁଦ୍ଧ ବିମାନର ଅଭାବ ରହିଛି । ବର୍ତ୍ତମାନ ମାତ୍ର ୩୦ ଟି ସ୍କ୍ୱାଡ୍ରନ୍ ଯୁଦ୍ଧ ବିମାନ ଥିବାବେଳେ ଚୀନ୍ ଏବଂ ପାକିସ୍ଥାନ ସୀମାରେ ସୁରକ୍ଷା ପାଇଁ ବାୟୁସେନାକୁ ସମୁଦାୟ ୪୧ ଟି ସ୍କ୍ୱାଡ୍ରନର ଆବଶ୍ୟକତା ରହିଛି । କୁହାଯାଉଛି ଯେ ମିଗ୍ -21 ର ତିନୋଟି ସ୍କ୍ୱାଡ୍ରନ ଆସନ୍ତା ଏକ ବର୍ଷ ମଧ୍ୟରେ ଅବସର ଗ୍ରହଣ କରିବେ । ଏହାପରେ ଯୁଦ୍ଧ ବିମାନର ଅଭାବ ଆହୁରି ବୃଦ୍ଧି ପାଇବ।
ଭାରତୀୟ ବାୟୁସେନା ସଜାଗ ଅଛି
ସୂଚନାଯୋଗ୍ୟ ଯେ ଚୀନ୍ ଏବଂ ପାକିସ୍ଥାନ ସୀମାରେ ଭାରତୀୟ ବାୟୁସେନା ନିଜକୁ ପ୍ରସ୍ତୁତ କରି ରଖିଛି । ଲାଇଟ କମ୍ବାକ୍ଟ ହେଲିକପ୍ଟର ‘ପ୍ରଚଣ୍ଡ’ ଗୁଡିକୁ LoC ଏବଂ LAC ରେ ନିୟୋଜିତ ହେବାକୁ ଯାଉଛି । ଯାହା ଭାରତୀୟ ବାୟୁସେନା ଶୀଘ୍ର HAL ରୁ କିଣିବାକୁ ଯାଉଛି । ଯେଉଁଥିପାଇଁ ଖୁବ ଶୀଘ୍ର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL) କୁ ନିର୍ଦ୍ଦେଶ ଦିଆଯିବ।
ଭାରତୀୟ ବାୟୁସେନା ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡରୁ ୧୫୬ ପ୍ରଚଣ୍ଡ ଲାଇଟ୍ କମ୍ବାଟ୍ ହେଲିକପ୍ଟର କ୍ରୟ କରିବ । ସେଥିମଧ୍ୟରୁ ୬୬ ଟି ଭାରତୀୟ ବାୟୁସେନା ଏବଂ ଅବଶିଷ୍ଟ ୯୦ ଟି ଭାରତୀୟ ସେନା ଦ୍ୱାରା କ୍ରୟ କରାଯିବ। ଗତ ୧୫ ମାସ ମଧ୍ୟରେ ବାୟୁସେନା ଏବଂ ଭାରତୀୟ ସେନା ୧୫ ଟି ହେଲିକପ୍ଟରକୁ ସାମିଲ କରିସାରିଛନ୍ତି। ଉଭୟ ମରୁଭୂମି ଏବଂ ଉଚ୍ଚ ଉଚ୍ଚତା ଅଞ୍ଚଳରେ ପ୍ରଚଣ୍ଡ ଚଲାଯାଇପାରିବ ।
ଏହା ହେଉଛି ବିଶ୍ବର ଏକମାତ୍ର ଯୁଦ୍ଧ ହେଲିକପ୍ଟର ଯାହା ୫୦୦୦ ମିଟର ଉଚ୍ଚତା(୧୬ ହଜାର ୪୦୦ ଫୁଟ )ରେ ଆରୋହଣ ଏବଂ ଅବତରଣ କରିପାରିବ । ସିଆଚେନ୍ ଏବଂ ଇଷ୍ଟର୍ଣ୍ଣ ଲଦାଖର ପରି ଅଧିକ ଉଚ୍ଚତା ବିଶିଷ୍ଟ ଯୁଦ୍ଧକ୍ଷେତ୍ର ପାଇଁ ପ୍ରଚଣ୍ଡ ସମ୍ପୂର୍ଣ ଉପଯୁକ୍ତ । ଏହା ଏୟାର-ଟୁ-ଗ୍ରାଉଣ୍ଡ ଏବଂ ଏୟାର-ଟୁ-ଏୟାର କ୍ଷେପଣାସ୍ତ୍ର ମଧ୍ୟ ନିକ୍ଷେପଣ କରିପାରିବ ।
ଭାରତର ସଂପୂର୍ଣ୍ଣ ସାମରିକ ଆବଶ୍ୟକତା ପୂରଣ କରିବା ପାଇଁ ୩୦୦ ରୁ ଅଧିକ ଏହିପରି ହେଲିକପ୍ଟରର ଆବଶ୍ୟକତା ରହିଛି । ଏହାକୁ ପୂର୍ଣ କରିବାକୁ ଭାରତ ଜୋରଦାର ଉଦ୍ୟମ ଆରମ୍ଭ କରିଦେଇଛି ।