ପୁଣି ଖସିଲା “ଫ୍ଲାଇଙ୍ଗ୍ କଫିନ୍” ! ଗ୍ୱାଲିୟର୍ ରେ ଦୁର୍ଘଟଣାଗ୍ରସ୍ତ ହେଲା ବାୟୁସେନାର ଲଢୁଆ ବିମାନ ମିଗ୍ -୨୧ , ବିମାନରେ ଥିବା ଦୁଇ ପାଇଲଟ୍ ସୁରକ୍ଷିତ । 

421

ଭାରତୀୟ ବାୟୁସେନାର ଲଢୁଆ ବିମାନ ମିଗ୍ -୨୧ ବୁଧବାର ଦୁର୍ଘଟଣାର ଶିକାର ହୋଇଛି । ଘଟଣାଟି ଘଟିଛି ଗ୍ୱାଲିୟର୍ ରେ  । ଏହି ଦୁର୍ଘଟଣାରେ ମିଗ୍ -୨୧ ରେ ଥିବା ୨ ଜଣ ପାଇଲଟ୍ ସମ୍ପୁର୍ଣ୍ଣ ସୁରକ୍ଷିତ ଅଛନ୍ତି । ବାୟୁସେନା ପକ୍ଷରୁ କୋର୍ଟ ଅଫ୍ ଇନକ୍ୱାରୀର ଆଦେଶ ଦିଆଯାଇଛି । ଦୁର୍ଘଟଣା ସମୟରେ ମିଗ୍ -୨୧ ଟ୍ରେନର୍ ଏୟାରକ୍ରାଫ୍ଟ ନିଜ ରୁଟିନ୍ ଗସ୍ତରେ ଥିଲା । ତେବେ ଦୁର୍ଘଟଣା ଏଭଳି ଗମ୍ଭୀର ଥିଲା ଯେ ବିମାନର ଅଧା ଅଂଶ ମାଟି ଭିତରେ ପଶିଯାଇଥିଲା ।

ବିମାନରେ ଜଣେ ଗ୍ରୁପ୍ କ୍ୟାପଟେନ୍ ଏବଂ ସ୍କ୍ୱାର୍ଡନ୍ ଲିଡର୍ ବସିଥିଲେ । ଚଳିତ ବର୍ଷ ମିଗ୍ କ୍ରାଶ୍ ହେବାର ଏହା ତୃତୀୟ ଘଟଣା । ଆପଣଙ୍କୁ କହିରଖୁଛୁ ଯେ ବାୟୁସେନାର ମିଗ୍-୨୧ କୁ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ମଧ୍ୟ ଉଡାଇଥିଲେ , ଯାହା ସେତେବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ଏହାପରେ ମାର୍ଚ୍ଚ ମାସରେ ରାଜସ୍ଥାନର ବିକାନେର୍ ରେ ମଧ୍ୟ ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ମିଗ୍-୨୧ ବିମାନ ଦୁର୍ଘଟଣା ହେବା ଘଟଣା ଖୁବ୍ ସାଧାରଣ । ୫ ଦଶନ୍ଧୀ ପୁରୁଣା ଏହି ବିମାନକୁ ବଦଳାଇବା ପାଇଁ ବାରମ୍ବାର କୁହାଯାଉଛି । “ଫ୍ଲାଇଙ୍ଗ୍ କଫିନ୍” ନାଁରେ ବଦନାମ୍ ହୋଇଥିବା ଏହି ବିମାନକୁ ଏଚଏଏଲ୍ ଦ୍ୱାରା ନିର୍ମାଣ କରାଯାଇଥିବା ଦେଶୀ ଏବଂ ହାଲୁକା ଲଢୁଆ ବିମାନ ତେଜସ୍ ସହ ବଦଳାଇବା ପାଇଁ କୁହାଯାଉଛି ।