ଯାତ୍ରା ପ୍ରତିବନ୍ଧକ ହଟାଇବାକୁ ଇସ୍ରାଏଲର ନିଷ୍ପତ୍ତି, କିଛି ନିର୍ବାଚିତ ଦେଶରୁ ଆସିପାରିବେ ପର୍ଯ୍ୟଟକ

73

କନକ ବ୍ୟୁରୋ : କରୋନା ମହାମାରୀର ପ୍ରଭାବ କମୁଥିବା ନଜର କରି ଇସ୍ରାଏଲ ନିଜ ଦେଶର ସୀମାରେ ଲାଗୁ କରିଥିବା ପ୍ରତିବନ୍ଧକ ହଟାଇବାକୁ ନିଷ୍ପତ୍ତି ନେଇଛି । ହେଲେ ଏହା ସବୁଦେଶ ପାଇଁ ଲାଗୁ ନ ହୋଇ ନିର୍ବାଚିତ କିଛି ଦେଶର ଲୋକ ଇସ୍ରାଏଲକୁ ଆସିପାରିବେ ବୋଲି କୁହାଯାଇଛି । କହିରଖୁ କି ଶନିବାର ଦିନ ଇସ୍ରାଏଲରେ ମାତ୍ର ୪ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ମହାମାରୀ ପାଇଁ ପର୍ଯ୍ୟଟନ ଉଦ୍ୟୋଗ ପ୍ରଭାବିତ ହୋଇଥିବାରୁ ଏହାର ସୁଧାର ଆଣିବାକୁ ଇସ୍ରାଏଲ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କଥା କୁହାଯାଇଛି ।

ଇସ୍ରାଏଲ ସରକାର କହିଛନ୍ତି କି, ଯେଉଁମାନେ ପର୍ଯ୍ୟଟକ ହିସାବରେ ଇସ୍ରାଏଲ ଆସିବାକୁ ଚାହିଁବେ ସେମାନଙ୍କୁ ସୀମାରେ କରୋନା ଟିକା ନେଇଥିବାର ପ୍ରମାଣ ଦେଖାଇବାକୁ ପଡିବ ଓ ସେମାନେ ୬ ମାସ ପୂର୍ବରୁ ଏହି ଟିକା ନେଇଥିବା ନିହାତି ଆବଶ୍ୟକ । ଏହାସହ ପର୍ଯ୍ୟଟକଙ୍କ ପାଖରେ ୭୨ ଘଂଟା ପୂର୍ବରୁ କରୋନା ଟେଷ୍ଟର ନେଗେଟିଭ ରିପୋର୍ଟ ବି ରହିଥିବା ଦରକାର । ଇସ୍ରାଏଲର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି,ଶନିବାର ଦିନ ଦେଶରେ ୪,୮୬୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଦେଶରେ କରୋନା ସଂକ୍ରମଣରେ ଇସ୍ରାଏଲରେ ମୋଟ ୭,୫୦୭ ଜଣଙ୍କର ମୃତ୍ୟୁ ହୋଇଛି ଓ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୨୧୯,୩୭୪ କୁ ବୃଦ୍ଧି ପାଇଛି ।