କନକ ବ୍ୟୁରୋ : ୨୯ ଦିନରେ ପହଁଚିଲାଣି ଇସ୍ରାଏଲ – ହମାସ ଯୁଦ୍ଧ । ଦିନ ଯେତିକି ବଢି ବଢି ଚାଲିଛି, ଗାଜାରେ ସ୍ଥିତି ସେତିକି ଭୟଙ୍କର ହେବାରେ ଲାଗିଛି । ହମାସକୁ ନିପାତ କରିବା ପାଇଁ ଇସ୍ରାଏଲ ଜିଦ୍ ଧରିଥିବାବେଳେ ଏହି ଲଢେଇରେ ବଳି ପଡୁଛନ୍ତି ନୀରିହ ପାଲେଷ୍ଟାଇନ୍ ନାଗରିକ । ଏହାରି ଭିତରେ ଶୁକ୍ରବାର ଏକ ଆମ୍ବୁଲାନ୍ସ ଉପରେ ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ ସେନା । ଉତରରୁ ଦକ୍ଷିଣ ଗାଜାକୁ ଧାଡି କରି କିଛି ଆମ୍ବୁଲାନ୍ସ ଯାଉଥିବାବେଳେ ଆକାଶମାର୍ଗରୁ ବୋମା ବର୍ଷା ହୋଇଛି । ଏଥିରେ ୧୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଇସ୍ରାଏଲ ପ୍ରତିରକ୍ଷା ବିଭାଗ ସୂଚନା ଅନୁସାରେ –
ଆମ୍ବୁଲାନ୍ସ ଉପରେ ଏୟାର ଷ୍ଟ୍ରାଇକ୍
– ଆମ୍ବୁଲାନ୍ସକୁ ଯାତାୟତର ମାଧ୍ୟମ କରିଥିଲେ ହମାସ କମାଣ୍ଡର
– ଆମ୍ବୁଲାନ୍ସରେ ସପ୍ଲାଏ ହେଉଥିଲା ଅସ୍ତ୍ରଶସ୍ତ୍ର
– ଜଣେ ଆତଙ୍କୀ ଆମ୍ବୁଲାନ୍ସରେ ଅସ୍ତ୍ର ନେଇ ଯିବାବେଳେ ହୋଇଛି ଆକ୍ରମଣ
– ପାଲେଷ୍ଟାଇନ୍ ମନ୍ତ୍ରୀଙ୍କ ଯୁକ୍ତି ଗୁରୁତର ରୋଗୀଙ୍କୁ ଦକ୍ଷିଣ ଗାଜାକୁ କରାଯାଉଥିଲା ସ୍ଥାନାନ୍ତର
– ଆମ୍ବୁଲାନ୍ସ ଆକ୍ରମଣରେ ମହିଳା, ପିଲାଙ୍କ ସମେତ ୧୩ ନିରୀହ ମୃତ

Kanak News is now on WhatsApp
Join and get latest news updates delivered to you via WhatsApp
ଶୁକ୍ରବାର ରାତିରେ ଅଲ ଶିଫା ଡାକ୍ତରଖାନା ବାହାରେ ବି ଆକ୍ରମଣ ହୋଇଛି । କେବଳ ସେତିକି ନୁହେଁ ଗୁରୁବାର ଜବାଲିଆ ଶରଣାର୍ଥୀ କ୍ୟାମ୍ପ ଉପରେ ପୁଣିଥରେ ଆକ୍ରମଣ କରିଛି ନେତାନ୍ୟାହୁଙ୍କ ବାହିନୀ । ବାରମ୍ବାର ଶରଣାର୍ଥୀ ଶିବିର ଉପରେ ଆକ୍ରମଣକୁ ଜାତିସଂଘ ସମେତ ବିଭିନ୍ନ ଦେଶ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି । ଅକ୍ଟୋବର ୩୧ ଜବାଲିଆ ଶରଣାର୍ଥୀ ଶିବିର ଉପରେ ୯୦୭ କିଲୋର ବମ୍ ପକାଇଥିଲା ଇସ୍ରାଏଲ । ନ୍ୟୁୟର୍କ ଟାଇମ୍ସର ସୂଚନା ଅନୁସାରେ ଏହି ଆକ୍ରମଣରେ ୧୯୫ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ଜାତିସଂଘର ଶିବିର, ଜବାଲିଆ ଶରଣାର୍ଥୀ ଶିବିର, ଡାକ୍ତରଖାନା ଏବଂ ଆମ୍ବୁଲାନ୍ସ ଉପରେ ଆକ୍ରମଣକୁ ନେଇ ଇସ୍ରାଏଲ ସରକାରକୁ ଜବାବ ମାଗିଛି ଆମେରିକା ।
ସେପଟେ ହମାସ ମୁଖ୍ୟ ଇସ୍ମାଇଲ୍ ହାନିଆଙ୍କ ଘର ଉପରେ ଆକ୍ରମଣ କରିଛି ଇସ୍ରାଏଲ ସେନା । ହମାସ ବିରୋଧ ଲଢେଇରେ ଏହା ବଡ ସଫଳତା ବୋଲି ଦାବି କରିଛି ଇସ୍ରାଏଲ । ମାତ୍ର ଆକ୍ରମଣ ବେଳେ ଇସ୍ମାଇଲ ଓ ତାଙ୍କ ପରିବାର ନିଜ ଘରେ ଥିଲେ କି ନାହିଁ ସେନେଇ ସ୍ପଷ୍ଟ ସୂଚନା ମିଳି ପାରି ନାହିଁ । ଗାଜା ସହରକୁ ଚାରି ପଟୁ ଘେରି ରହିଛି ଆଇଡିଏଫ । ଆକାଶ, ଜଳ ସ୍ଥଳ ସବୁ ଆଡୁ କରୁଛି ଆକ୍ରମଣ । ହମାସକୁ ନିପାତ କରିବା ନ ଯାଏଁ ସେନା ପଛକୁ ହଟିବନି ବୋଲି ସୂଚନା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ୍ ନେତାନ୍ୟାହୁ ।