କନକ ବ୍ୟୁରୋ : ୨୯ ଦିନରେ ପହଁଚିଲାଣି ଇସ୍ରାଏଲ – ହମାସ ଯୁଦ୍ଧ । ଦିନ ଯେତିକି ବଢି ବଢି ଚାଲିଛି, ଗାଜାରେ ସ୍ଥିତି ସେତିକି ଭୟଙ୍କର ହେବାରେ ଲାଗିଛି । ହମାସକୁ ନିପାତ କରିବା ପାଇଁ ଇସ୍ରାଏଲ ଜିଦ୍ ଧରିଥିବାବେଳେ ଏହି ଲଢେଇରେ ବଳି ପଡୁଛନ୍ତି ନୀରିହ ପାଲେଷ୍ଟାଇନ୍ ନାଗରିକ । ଏହାରି ଭିତରେ ଶୁକ୍ରବାର ଏକ ଆମ୍ବୁଲାନ୍ସ ଉପରେ ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ ସେନା । ଉତରରୁ ଦକ୍ଷିଣ ଗାଜାକୁ ଧାଡି କରି କିଛି ଆମ୍ବୁଲାନ୍ସ ଯାଉଥିବାବେଳେ ଆକାଶମାର୍ଗରୁ ବୋମା ବର୍ଷା ହୋଇଛି । ଏଥିରେ ୧୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଇସ୍ରାଏଲ ପ୍ରତିରକ୍ଷା ବିଭାଗ ସୂଚନା ଅନୁସାରେ –
ଆମ୍ବୁଲାନ୍ସ ଉପରେ ଏୟାର ଷ୍ଟ୍ରାଇକ୍
- ଆମ୍ବୁଲାନ୍ସକୁ ଯାତାୟତର ମାଧ୍ୟମ କରିଥିଲେ ହମାସ କମାଣ୍ଡର
- ଆମ୍ବୁଲାନ୍ସରେ ସପ୍ଲାଏ ହେଉଥିଲା ଅସ୍ତ୍ରଶସ୍ତ୍ର
- ଜଣେ ଆତଙ୍କୀ ଆମ୍ବୁଲାନ୍ସରେ ଅସ୍ତ୍ର ନେଇ ଯିବାବେଳେ ହୋଇଛି ଆକ୍ରମଣ
- ପାଲେଷ୍ଟାଇନ୍ ମନ୍ତ୍ରୀଙ୍କ ଯୁକ୍ତି ଗୁରୁତର ରୋଗୀଙ୍କୁ ଦକ୍ଷିଣ ଗାଜାକୁ କରାଯାଉଥିଲା ସ୍ଥାନାନ୍ତର
- ଆମ୍ବୁଲାନ୍ସ ଆକ୍ରମଣରେ ମହିଳା, ପିଲାଙ୍କ ସମେତ ୧୩ ନିରୀହ ମୃତ

Advertisment

ଶୁକ୍ରବାର ରାତିରେ ଅଲ ଶିଫା ଡାକ୍ତରଖାନା ବାହାରେ ବି ଆକ୍ରମଣ ହୋଇଛି । କେବଳ ସେତିକି ନୁହେଁ ଗୁରୁବାର ଜବାଲିଆ ଶରଣାର୍ଥୀ କ୍ୟାମ୍ପ ଉପରେ ପୁଣିଥରେ ଆକ୍ରମଣ କରିଛି ନେତାନ୍ୟାହୁଙ୍କ ବାହିନୀ । ବାରମ୍ବାର ଶରଣାର୍ଥୀ ଶିବିର ଉପରେ ଆକ୍ରମଣକୁ ଜାତିସଂଘ ସମେତ ବିଭିନ୍ନ ଦେଶ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି । ଅକ୍ଟୋବର ୩୧ ଜବାଲିଆ ଶରଣାର୍ଥୀ ଶିବିର ଉପରେ ୯୦୭ କିଲୋର ବମ୍ ପକାଇଥିଲା ଇସ୍ରାଏଲ । ନ୍ୟୁୟର୍କ ଟାଇମ୍ସର ସୂଚନା ଅନୁସାରେ ଏହି ଆକ୍ରମଣରେ ୧୯୫ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ଜାତିସଂଘର ଶିବିର, ଜବାଲିଆ ଶରଣାର୍ଥୀ ଶିବିର, ଡାକ୍ତରଖାନା ଏବଂ ଆମ୍ବୁଲାନ୍ସ ଉପରେ ଆକ୍ରମଣକୁ ନେଇ ଇସ୍ରାଏଲ ସରକାରକୁ ଜବାବ ମାଗିଛି ଆମେରିକା ।

ସେପଟେ ହମାସ ମୁଖ୍ୟ ଇସ୍ମାଇଲ୍ ହାନିଆଙ୍କ ଘର ଉପରେ ଆକ୍ରମଣ କରିଛି ଇସ୍ରାଏଲ ସେନା । ହମାସ ବିରୋଧ ଲଢେଇରେ ଏହା ବଡ ସଫଳତା ବୋଲି ଦାବି କରିଛି ଇସ୍ରାଏଲ । ମାତ୍ର ଆକ୍ରମଣ ବେଳେ ଇସ୍ମାଇଲ ଓ ତାଙ୍କ ପରିବାର ନିଜ ଘରେ ଥିଲେ କି ନାହିଁ ସେନେଇ ସ୍ପଷ୍ଟ ସୂଚନା ମିଳି ପାରି ନାହିଁ । ଗାଜା ସହରକୁ ଚାରି ପଟୁ ଘେରି ରହିଛି ଆଇଡିଏଫ । ଆକାଶ, ଜଳ ସ୍ଥଳ ସବୁ ଆଡୁ କରୁଛି ଆକ୍ରମଣ । ହମାସକୁ ନିପାତ କରିବା ନ ଯାଏଁ ସେନା ପଛକୁ ହଟିବନି ବୋଲି ସୂଚନା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ୍ ନେତାନ୍ୟାହୁ ।