ପରିବା ବଜାରକୁ ଯିବାକୁ ଲାଗୁଛି ଡର । ଡାଲି ତେଲ ବି ବଢାଇଲା ଚିନ୍ତା, ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଡିଜେଲ ଟପିଲା ଶହେ ।

162

କନକ ବ୍ୟୁରୋ : ମହଙ୍ଗା ମାଡରେ କଲବଲ ହେଲେଣି ମଧ୍ୟବିତ । ତେଲ ଓ ରୋଷେଇ ଗ୍ୟାସ ଦର ପରେ ଏବେ ପରିବା ଦର ହୋଇଛି ଆକାଶଛୁଆଁ । ସେପଟେ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଡିଜେଲ ଲିଟର ପିଛା ଦର ଶହେ ଟପିଛି । ଆଗକୁ ଆହୁରି ୨ ଟଙ୍କା ବଢିବା ନେଇ ଆକଳନ କରାଯାଉଛି । କରୋନା କାଳରେ ଲୋକଙ୍କ ଅର୍ଥନୀତି ଦୋହଲି ଯାଇଥିବାବେଳେ ଚିନ୍ତା ବଢାଇଛି ମହଙ୍ଗା ମାଡ ।

ବଜାରକୁ ପରିବା କିଣିବାକୁ ଗଲେ ନାକେଦମ ହେଉଛନ୍ତି ଗ୍ରାହକ । ପରିବା ଦର ଶୁଣିଲେ ଉଡିଯାଉଛି ହୋସ । ପିଆଜ କିଣିଲା ବେଳକୁ ବି ଆଖିରୁ ଲୁହ ବାହାରି ଯାଉଛି । ଦୁଇ ଦିନରେ ଦୁଇ ଗୁଣ ହୋଇଯାଇଛି ଦର । ପାଞ୍ଚ ଶହ ଟଙ୍କା ନେଇ ବଜାରକୁ ଗଲେ ଭର୍ତ୍ତି ହେଉନି ବ୍ୟାଗ । କଟକର ଛତ୍ର ବଜାର ହେଉ ଅବା ଭୁବନେଶ୍ୱରର ହାଟ, ରାଜ୍ୟର ସବୁଠି ସମାନ ଅବସ୍ଥା । ଅଧିକାଂଶ ପରିବା କିଲୋ ପିଛା ଦର ୫୦-୬୦ ଟଙ୍କା ଉପରେ ରହିଛି ।

ପରିବା ବଜାରରେ କେବଳ ମହଙ୍ଗା ମାଡ ହୋଇନି, ତେଲ ବଜାରରେ ବି ନିଆଁ ଲାଗିଛି । ପୂର୍ବରୁ ପେଟ୍ରୋଲ ଦର ଶହେ ଟଙ୍କା ଟପିଥିବା ବେଳେ ଭୁବନେଶ୍ୱରରେ ଡିଜେଲ ଦର ଶହେ ଟପିଛି । ଗତ ୭ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୧ଟଙ୍କା ୬୨ପଇସା ବଢିଥିବା ବେଳେ ଏହି ସମୟ ମଧ୍ୟରେ ଡିଜେଲ ୨ଟଙ୍କା ୯ପଇସା ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଡିଜେଲ ଦର ୧୦୦ ଟଙ୍କା ୧୦ପଇସା ଓ ପେଟ୍ରୋଲ ଦର ୧୦୪ଟଙ୍କା ୧୪ପଇସା ହୋଇଛି ।

ରୋଷେଇ ଗ୍ୟାସ ସିଲିଣ୍ଡର ପିଛା ୯୨୬ ଟଙ୍କାରେ ପହଞ୍ଚିଛି । ଯାହାକି ସିଧାସଳଖ ହାଣ୍ଡିଶାଳ ଉପରେ ପ୍ରଭାବ ପକାଇଛି । କରୋନା ଯୋଗୁଁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି । ନିଜକୁ ସମ୍ଭାଳି ଲୋକେ ଅଣ୍ଟା ସଳଖେଇବାକୁ ଚେଷ୍ଟା କରୁଥିବାବେଳେ ଏବେ ହନ୍ତସନ୍ତ କରୁଛି ମହଙ୍ଗା ଦର ।