ପୁଷ୍ଟି ଅପେକ୍ଷା ପ୍ରଚାର ବେଶି । ମଧ୍ୟାହ୍ନଭୋଜନରେ ମିଳୁଛି ପାଣିଆ ଡାଲି କିନ୍ତୁ ୱାଲ୍ ପେଣ୍ଟିଙ୍ଗରେ ଖର୍ଚ୍ଚ ହେଉଛି ହଜାର ହଜାର ଟଙ୍କା ।

41

କନକ ବ୍ୟୁରୋ:ମଧ୍ୟାହ୍ନ ଭୋଜନ ଥାଳିରେ ନିମ୍ନମାନର ସୋୟାବିନ୍, ପାଣିଆ ଡାଲିକୁ ନେଇ ଅସନ୍ତୋଷ ବଢୁଥିବା ବେଳେ ପିଏମ୍ ପୋଷଣ ସଂପର୍କିତ ତଥ୍ୟ ସ୍କୁଲ କାନ୍ଥରେ ଲେଖିବାକୁ ଚିଠି ଦେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ପିଏମ ପୋଷଣର ରାଜ୍ୟ ନୋଡାଲ ଅଧିକାରୀ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏହି ଚିଠି ଲେଖିଛନ୍ତି । ଏଥିରେ କୁହାଯାଇଛି, ମଧ୍ୟାହ୍ନ ଭୋଜନ ସଂପର୍କିତ ତଥ୍ୟ ଲିଭି ଯାଇଥିବାରୁ ଏହାକୁ ପୁଣିଥରେ ଲେଖାଯିବ । ପ୍ରତ୍ୟେକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲକୁ ଏଥିପାଇଁ ୫,୦୦୦ ଟଙ୍କା ମଞ୍ଜୁୁର କରାଯାଇଛି । ସ୍କୁଲ କାନ୍ଥରେ ରହିବ ମଧ୍ୟାହ୍ନ ଭୋଜନର ଲୋଗୋ, ସାପ୍ତାହିକ ଖାଇବା ମେନୁ, ଛାତ୍ରଛାତ୍ରୀଙ୍କ ଅଧିକାର, ୫ଟି ନିୟମ, ହେଲ୍ପଲାଇନ ଆଦିର ପେଂଟିଙ୍ଗ ।

ସବୁଠାରୁ ବିଡ଼ମ୍ବନାର କଥା ହେଉଛି, ମଧ୍ୟାହ୍ନ ଭୋଜନ ପାଇଁ ପ୍ରାଥମିକ ସ୍କୁଲ ପିଲା ପିଛା ମାତ୍ର ୫ ଟଙ୍କା ୯୦ ପଇସା ଓ ଉଚ୍ଚ ପ୍ରାଥମିକ ପିଲାଙ୍କ ପାଇଁ ୮ ଟଙ୍କା ୮୨ ପଇସା ଖର୍ଚ୍ଚ କରାଯାଉଛି । ଯେଉଁଠି ଅଣ୍ଡା ଗୋଟିକୁ ୭ରୁ ୮ ଟଙ୍କା, ଡାଲି କିଲୋ ଦେଢ଼ ଶ’ରୁ ୨ ଶହ ଟଙ୍କା, ସେଠି ଏତେ ଅଳ୍ପ ଟଙ୍କାରେ କେଉଁ ପ୍ରକାର ପୋଷଣ ଦେବା ସମ୍ଭବ, ତାହା ଜଳଜଳ ହୋଇ ଦିଶୁଛି । ଏ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ବି ଏଥିପାଇଁ କେହି ଦୃଷ୍ଟି ଦେଉନାହାନ୍ତି ।

କାନ୍ଥରେ ଖାଇବା ମେନୁ ଲେଖିଦେଲେ ଯେ ପିଲା ଭଲ ଖାଦ୍ୟ ଖାଇବେ, ଏଭଳି ଚିନ୍ତା ଦୁଭାର୍ଗ୍ୟଜନକ ବୋଲି କହିଛନ୍ତି ଶିକ୍ଷାବିତ ।