ପାଚିକାଙ୍କ ପାରିଶ୍ରମିକ ବୃଦ୍ଧିକୁ ନେଇ ବଢୁଛି କ୍ଷୋଭ । ପ୍ରତିଶ୍ରୁତି ଦେଇ ସରକାର ଠକି ଦେଇଥିବା ଅଭିଯୋଗ ଆଣିଲା ପାଚିକା ସଂଘ

158

କନକ ବ୍ୟୁରୋ: ମାସିକ ଦରମାରେ ପାଚିକାଙ୍କ ପେଟ ପୁରୁନି । ପରିବାର ଚଳିବା କଥା ଛାଡନ୍ତୁ । ରାଜ୍ୟ ସରକାରଙ୍କ ବର୍ଦ୍ଧିତ ଦରମାକୁ ହିସାବ କଲେ ଦୈନିକ ମାତ୍ର ୬୬ ଟଙ୍କା ଦରମା ପାଉଛନ୍ତି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିବା ପାଚିକା ଓ ସହାୟିକା । ତେବେ ବହୁ ଦାବି ଓ ଧାରଣା ପରେ ଦରମା ମାତ୍ର ୬ଶହ ଟଙ୍କା ବଢାଇ ସରକାର ପ୍ରତାରଣା କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ପାଚିକା ।

ପାଚିକାଙ୍କ ପାରିଶ୍ରମିକ ବଢିବା ପରେ କ୍ଷୋଭ ପ୍ରକାଶ କରିଛନ୍ତି ଜଣେ ପାଚିକା । ସରକାର ଯାହା ଦେଲେ ସମୁଦ୍ରକୁ ଶଙ୍ଖେ । ଗତବର୍ଷ ଭୁବନେଶ୍ୱର ଆସି ପାରିଶ୍ରମିକ ବଢାଇବାକୁ ଦାବି କରିଥିଲେ ପାଚିକା ସଙ୍ଘ । ସରକାର ପ୍ରତିଶ୍ରୁତି ବି ଦେଇଥିଲେ । କିନ୍ତୁ ସରକାର ଯାହା ବଢାଇଲେ ନ କହିବା ଭଲ । ମହଙ୍ଗା ମାଡର ତେଲ ଲୁଣ ସଂସାରରେ ପାଚିକା ଏବେ ୨ ହଜାର ଟଙ୍କାରେ ଘର ଚଳାଇବେ ।

ସ୍କୁଲରେ ଛୋଟ ଛୋଟ ପିଲାଙ୍କୁ ରୋଷେଇ କରି ଏମାନେ ଖାଇବାକୁ ଦିଅନ୍ତି । ଆଉ ସେମାନଙ୍କ ମାସିକ ପାରିଶ୍ରମିକ କଥା ଶୁଣିଲେ ଆପଣଙ୍କୁ ବି ଆଶ୍ଚର୍ଯ୍ୟ ଲାଗିବ । ପ୍ରଥମେ ପାଉଥିଲେ ମାସିକ ୧୪ ଶହ ଟଙ୍କା । ଆଉ ଏବେ ସରକାର ୬ଶହ ଟଙ୍କା ବଢାଇବା ପରେ ମିଳିବ ମାତ୍ର ୨ ହଜାର ଟଙ୍କା । ଏହି ବର୍ଦ୍ଧିତ ପାରିଶ୍ରମିକ ପିଛିଲା ଭାବେ ଅକ୍ଟୋବର ୨୦୨୩ରୁ ଲାଗୁ ହେବ । ଏଥିପାଇଁ ସରକାର ବର୍ଷକୁ ୭୪ କୋଟି ଟଙ୍କା ଖର୍ଚ୍ଚ କରିବେ । ରାଜ୍ୟରେ ଏବେ ୫୫ ହଜାର ସ୍କୁଲରେ ୧ ଲକ୍ଷ ୧୦ ହଜାର ପାଚିକା ଓ ସହାୟିକା କାମ କରୁଛନ୍ତି । ରବିବାର ଓ ଛୁଟି ଦିନକୁ ବାଦ ଦେଲେ ଏମାନେ ଦିନ ୧୦ଟାରୁ ଅପରାହ୍ନ ୪ଟା ଯାଏଁ କାମ କରିଥାନ୍ତି ।

  • ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଦିନ ମଜୁରିଆ ଦୈନିକ ପାଉଛନ୍ତି ସର୍ବନିମ୍ନ ୫ ଶହ ଟଙ୍କା ମଜୁରୀ
  • ରାଜ୍ୟ ସରକାରଙ୍କ ଦୈନିକ ସର୍ବନିମ୍ନ ମଜୁରୀ ରହିଛି ୩୫୬ ଟଙ୍କା
  • ପାରିଶ୍ରମିକ ବୃଦ୍ଧି ପରେ ପାଚିକାଙ୍କୁ ମିଳିବ ମାସକୁ ୨ ହଜାର ଟଙ୍କା
  • ଜଣେ ପାଚିକା ଦୈନିକ ୬୬ ଟଙ୍କା ମଜୁରୀରେ କାମ କରିବେ

ଏବେ ଏଭଳି ପାରିଶ୍ରମିକ ବୃଦ୍ଧି ପରେ ପ୍ରତିଶ୍ରୃତି ଦେଇ ସରକାର ପ୍ରତାରଣା କରିଥିବା ଅଭିଯୋଗ ଆଣିଛନ୍ତି ପାଚିକା । ଏହାକୁ ନେଇ ବିରୋଧୀ ବି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ତେଣୁ ପୁଣି ପାରିଶ୍ରମିକ ବୃଦ୍ଧି କରିବାକୁ ଦାବି କରିଛନ୍ତି ପାଚିକା ସଂଘ । ଏହା ନହେଲେ ଭୁବନେଶ୍ୱର ରାଜରାସ୍ତାରେ ଆନ୍ଦୋଳନ କରିବା ସହ ଭୋଟ୍ ବର୍ଜନର ଚେତାବନୀ ବି ଦେଇଛନ୍ତି ।