ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଉ ୩ ଆକ୍ରାନ୍ତ ଚିହ୍ନଟ । ମିଡ୍ ସେମିଷ୍ଟାର ପରୀକ୍ଷା ସ୍ଥଗିତ । 

148

କନକ ବ୍ୟୁରୋ : ଉତ୍କଳ ବିଶ୍ୱବିଦ୍ୟାଳୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ଟେଷ୍ଟ ପରେ ଆଉ ୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ଅଧିକ ହେବ ବୋଲି ଆକଳନ କରାଯାଉଛି। ଆଜି ଆକ୍ରାନ୍ତ ଚିହ୍ନଟ ହୋଇଥିବା ୩ ଜଣଙ୍କ ମଧ୍ୟରୁ ବାୟୋ-ଟେକ୍ନୋଲୋଜି ବିଭାଗର ଦୁଇ ଜଣ ପିଲା ଥିବା ବେଳେ ଏମସିଏ ବିଭାଗର ଜଣେ କର୍ମଚାରୀ ରହିଛନ୍ତି। ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ବଡ଼ ନିଷ୍ପତ୍ତି ନେଇଛନ୍ତି।

କରୋନା କାଳରେ କର୍ତୃପକ୍ଷ ଜାରି ରଖିଥିବା ଅଫଲାଇନ୍‌ ମିଡ୍‌ ସେମିଷ୍ଟାର ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ବିଶ୍ୱବିଦ୍ୟାଳୟ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ ଆଜି ସମସ୍ତ ବିଭାଗୀୟ ମୁଖ୍ୟ ଓ କୋର୍ସ ସଂଯୋଜକମାନଙ୍କୁ କହିଛନ୍ତି ଯେ କ୍ୟାମ୍ପସରେ କୋଭିଡ୍‌-୧୯ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ତାହାକୁ ଦୃଷ୍ଟିରେ ରଖି ବର୍ତମାନ ସମୟରେ ଜାରି ରହିଥିବା ମିଡ୍‌ ସେମିଷ୍ଟାର ପରୀକ୍ଷାକୁ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା। ଯେ‌ତେବେ‌ଳ ପର୍ଯ୍ୟନ୍ତ ସ୍ବାଭାବିକ ସ୍ଥିତି ନ ଫେରିଛି ସେପର୍ଯ୍ୟନ୍ତ ପରୀକ୍ଷା ହେବ ନାହିଁ। ଏ ସମ୍ପର୍କରେ ବିଭାଗର ସମସ୍ତ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବାକୁ ଅଧ୍ୟକ୍ଷ ବସନ୍ତ କୁମାର ମଲ୍ଲିକ କହିଛନ୍ତି। ସଂକ୍ରମଣ ବଢ଼ୁଥିବାରୁ ହଷ୍ଟେଲ ଓ ବିଭାଗକୁ ବିଶୋଧନ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ନିୟମିତ ବ୍ୟବଧାନରେ ବିଏମସି ସହାୟତାରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ଟେଷ୍ଟିଂ କରିବାକୁ ସ୍ଥିର ହୋଇଛି। ଆସନ୍ତାକାଲି ବିଶ୍ୱବିଦ୍ୟାଳୟର ଏକ ଜରୁରୀ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

ଅନ୍ୟପକ୍ଷରେ ଅନଲାଇନ୍‌ରେ ସେମିଷ୍ଟାର ପରୀକ୍ଷା ଦାବି ଜୋର ଧରିଛି। ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇବାକୁ ଡାକରା ଦେଇଛନ୍ତି। ଗୁରୁବାର ପୂର୍ବାହ୍ନରେ ସେମାନେ କ୍ୟାମ୍ପସରେ ଏକାଠି ହୋଇ ସାଇନ୍ସ ବ୍ଲକର ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ଛାତ୍ରଛାତ୍ରୀ ବି ଆନ୍ଦୋଳନ କରିବେ ବୋଲି ସୂଚନା ମିଳିଛି। ସେପଟେ ଅନଲାଇନ୍‌ ପରୀକ୍ଷା କରିବା ନେଇ ଗୁରୁବାର ଅପରାହ୍ଣରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଛାତ୍ରୀମାନଙ୍କର ସହ କୁଳପତିଙ୍କ ଆଲୋଚନା ହେବ।