ମଧ୍ୟାହ୍ନ ଭୋଜନ ହେଲା ‘ପିଏମ୍ ପୋଷଣ’: ଉପକୃତ ହେବେ ୧୧.୮୦ କୋଟି ଛାତ୍ରଛାତ୍ରୀ

1,032

କନକ ବ୍ୟୁରୋ: ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଥିବା ‘ମଧ୍ୟାହ୍ନ ଭୋଜନ’ର ନାଁ ବଦଳାଇ ‘ପ୍ରଧାନମନ୍ତ୍ରୀ ପୋଷଣ’ ରହିବ ବୋଲି ଘୋଷଣା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶବ୍ୟାପୀ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କୁ ପୋଷଣଯୁକ୍ତ ଖାଦ୍ୟ ଯୋଗାଇ ସେମାନଙ୍କୁ ପାଠପଢା ପ୍ରତି ଆକୃଷ୍ଟ କରିବାକୁ ୧୯୫୯ ଅଗଷ୍ଟ ୧୫ରେ ଆରମ୍ଭ ହୋଇଥିଲା ମିଡ୍ ଡେ ମିଲ ଯୋଜନା । ଉପସ୍ଥାନ ବଢାଇବା ଉଦ୍ଦେଶ୍ୟରେ ଏହି ଯୋଜନାରେ ବିଦ୍ୟାଳୟମାନଙ୍କରେ ୬ରୁ ୧୪ ବର୍ଷ ପିଲାଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ୨୦୨୧ରେ ସୁପ୍ରିମକୋର୍ଟ ଏହି ଯୋଜନାକୁ ବାଧ୍ୟତାମୂଳକ କରି ପ୍ରତି ସରକାରୀ ସ୍କୁଲରେ ରନ୍ଧାଖାଦ୍ୟ ଦେବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଗୁଡିକୁ ନିର୍ଦ୍ଦେଶ ଦେଇଥିଲେ । କେନ୍ଦ୍ରରେ ମୋଦୀ ସରକାର ବୁଧବାର ଏହାର ନାଁ ବଦଳାଇ ‘ପିଏମ୍ ପୋଷଣ’ ଯୋଜନା ରଖିଛନ୍ତି । ବୁଧବାର କେନ୍ଦ୍ର କ୍ୟାବିନେଟ୍ ଏହାକୁ ମଂଜୁରୀ ଦେଇଛି ।

‘ପିଏମ୍ ପୋଷଣ’ ଯୋଜନା ଅଧିନରେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ରନ୍ଧାଖାଦ୍ୟ ଯୋଗାଇଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟିରେ ଏନେଇ ନିଷ୍ପତ୍ତି ହୋଇଛି । ୨୦୨୧-୨୨ରୁ ୨୦୨୫-୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା ବଳବତ୍ତର ରହିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି ।

ମଧ୍ୟାହ୍ନ ଭୋଜନ ଯୋଜନାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିନକୁ ଥରେ ରନ୍ଧାଖାଦ୍ୟ ଦିଆଯାଉଥିବାବେଳେ ଏବେ ଏହି ଯୋଜନାରେ ପ୍ରି- ପ୍ରାଇମେରୀ ପିଲାଙ୍କୁ ସାମିଲ କରାଯାଉଛି । ଏଥିରେ ଦେଶର ମୋଟ ୧୧.୮୦ କୋଟି ଛାତ୍ରଛାତ୍ରୀ ଉପକୃତ ହେବେ । ଏହି ଯୋଜନାରେ ବର୍ଷକୁ ୨୫୪୦୬୧.୭୩ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିରୁ ରାଜ୍ୟ ଓ କେନ୍ଦ୍ର ସରକାର ୩୧୭୩୩.୧୭ କୋଟି ଟଙ୍କା ବହନ କରିବେ । ବାକି ଅର୍ଥର ବୋଝ କେନ୍ଦ୍ର ସରକାର ବହନ କରିବେ ବୋଲି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।