ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ଲୁଣଭାତ ଦେଉଛନ୍ତି ପ୍ରଧାନ ଶିକ୍ଷକ! ପଚାରିଲେ କହୁଛନ୍ତି, ଯାହା କରିଛି ଠିକ୍ କରିଛି

47

କନକ ବ୍ୟୁରୋ : ସଭିଏଁ ପଢ଼ନ୍ତୁ ସଭିଏଁ ବଢନ୍ତୁ, ଏହି ସ୍ଳୋଗାନ ଦେଇ ସରକାର କାର୍ଯ୍ୟକାରୀ କରିଛନ୍ତି ସର୍ବଶିକ୍ଷା ଅଭିଯାନ । ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଉଥିବା ସରକାର ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ତାହା କୋରାପୁଟ ଜିଲ୍ଳାରେ କିଭଳି କାମ କରୁଛି ତାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ସିଆଡ଼ି ମାଳ ବିଦ୍ୟାଳୟରେ । ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଦିଆଯାଉଛି ଲୁଣ ସହ ଭାତ । ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ସମ୍ପର୍କୀତ ଏକ ଭିଡିଓ ଏବେ ଭାଇରାଲ ହୋଇଛି । ଯେଉଁ ଭିଡିଓକୁ ଦେଖି ତାତି ଉଠିଥିବା ଅଭିଭାବକ ପ୍ରଧାନ ଶିକ୍ଷକ ବଦଳି ଦାବି କରିଛନ୍ତି ।

ପ୍ରଧାନଶିକ୍ଷଙ୍କ ମନମାନି ଯୋଗୁଁ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଦିଆଯାଉଛି ଭାତ ସହ ଲୁଣ । ସ୍କୁଲରେ ମଧ୍ୟାହ୍ନ ଭୋଜନରେ ଲୁଣଭାତ ଖାଇବାକୁ ଦିଆଯାଉଥିବା ଭିଡିଓ ଭାଇରାଲ କରିଛନ୍ତି ଗ୍ରାମବାସୀ । ଜୟପୁର ବ୍ଳକ ଠାରୁ ମାତ୍ର ୭ କିମି ଦୁରରେ ରହିଛି ସିଆଡ଼ିମାଳ ସରକାରୀ ବିଦ୍ୟାଳୟ । ୫୨ ଜଣ ପିଲା ପାଠ ପଢୁଥିବା ଏହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଏଭଳି ଖାଦ୍ୟ ଦେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଆଗାମୀ ୧୫ ଦିନ ଭିତରେ ଯଦି ପ୍ରଶାସନ ଏ ଘଟଣାରେ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି, ସ୍କୁଲରେ ତାଲା ପକାଇବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ।

ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟଶୈଳୀ ଠିକ ନଥିବା ସ୍ୱୀକାର କରିଛନ୍ତି ସହଯୋଗୀ ଶିକ୍ଷକ ଓ ମଧ୍ୟାହ୍ନ ଭୋଜନ ରୋଷେଇ କରୁଥିବା ରୋଷେୟା । ସେମାନଙ୍କ କହିବା କଥା ସ୍କୁଲ ଖାତାରେ ପଇସା ଥିବା ସତ୍ୱେ ପିଲାଙ୍କୁ ଲୁଣଭାତ ଖାଇବକୁ ଦେଉଛନ୍ତି ପ୍ରଧାନ ଶିକ୍ଷକ । ସେପଟେ ପ୍ରଧାନ ଶିକ୍ଷକ କହୁଛନ୍ତି ସେ, ଯାହା କରୁଛନ୍ତି ଠିକ କରୁଛନ୍ତି ।