କନକ ବ୍ୟୁରୋ : ନେପାଳରେ ଲାଗିରହିଥିବା ରାଜନୈତିକ ଛକାପଞ୍ଝା ଭିତରେ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ସଂସଦ ଭଙ୍ଗ କରି ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ପାଇଁ ଘୋଷଣା କରିଛନ୍ତି । ରାଷ୍ଟ୍ରପତିଙ୍କ ଘୋଷଣା ମୁତାବକ ନଭେମ୍ବର ୧୨ ରୁ ୧୯ ତାରିଖ ମଧ୍ୟରେ ନେପାଳରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଅନୁଷ୍ଠିତ ହେବ । ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଉଭୟ ସେର୍ ବାହାଦୁର ଦେଓବା ଓ କେ.ପି ଶର୍ମା ଓଲି ସରକାର ଗଠନ ପାଇଁ କରିଥିବା ଦାବିକୁ ଖାରଜ କରି ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି   ।

Advertisment

ରାଷ୍ଟ୍ରପତି ସାମ୍ବିଧାନିକ ପ୍ରାବଧାନ ଭିତରେ ନା ନେପାଳ କଂଗ୍ରେସ ନା ନେପାଳ କମ୍ୟୁନିଷ୍ଟ ପାର୍ଟି କାହାରି ପାଖରେ ସରକାର ଗଠନ କରିବା ଭଳି ସଦସ୍ୟତା ନଥିବା ଦର୍ଶାଇଛନ୍ତି । କେ.ପି ଶର୍ମା ଓଲିଙ୍କ ସରକାର ସମୟରେ ଏହା ଦ୍ୱିତୀୟ ଘଟଣା । ପ୍ରଥମେ ଯେତେବେଳେ ଓଲି ହଠାତ ସଂସଦ ଭଙ୍ଗ କରିବାକୁ ସୁପାରିଶ କରି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ସେତେବେଳେ ପୁରା ଗୋଟିଏ ଦିନ ହଇଚଇ ସୃଷ୍ଟି ହୋଇଥିଲା । ଓଲି ଓ ବିରୋଧୀ ମେଣ୍ଟ ଉଭୟ ରାଷ୍ଟ୍ରପତିଙ୍କ ଠାରେ ସରକାର ଗଠନ କରିବାକୁ ଦାବି କରିଥିଲେ ବି କେହି ଆବଶ୍ୟକ ସଂଖ୍ୟା ଦେଖାଇ ପାରି ନଥିଲେ । କହିରଖୁ କି ଶୁକ୍ରବାର ରାତିରେ ନେପାଳ ସଂସଦର ବିରୋଧି ଦଳ ଭାବେ ଥିବା ନେପାଳ କଂଗ୍ରେସ ତରଫରୁ ୧୪୯ ଜଣ ସାଂସଦଙ୍କ ଦସ୍ତଖତ ଥିବା ଏକ ପତ୍ର ଧରି ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀଙ୍କ ନିକଟରେ ପହଂଚିଥିଲେ । ଏଥିରେ ନେପାଳ କଂଗ୍ରେସର ସଭାପତି ସେର ବାହାଦୁର ଦେଓବାଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଦାବି କରାଯାଇଥିଲା । ହେଲେ ରାଷ୍ଟ୍ରପତି କହିଥିଲେ କି ଏନେଇ ସେ ପ୍ରଥମେ ଆଇନ ଉପରେ ତର୍ଜମା କରିବେ ।

ଅନ୍ୟପଟେ ମାଓବାଦୀ ସେଣ୍ଟରର ପ୍ରବକ୍ତା ନାରାୟଣ କାଜୀ ଶ୍ରେଷ୍ଟ କହିଛନ୍ତି କି, ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ବହୁମତ ଦାବି କରିବାକୁ ରାଷ୍ଟ୍ରପତିଙ୍କ ନିକଟକୁ ଯାଇଥିଲେ । ହେଲେ ଓଲିଙ୍କୁ ବି ସମାନ କଥା କହି ଫେରାଇ ଦେଇଥିଲେ ରାଷ୍ଟ୍ରପତି । ଏନେଇ ବିରୋଧୀ ଦଳ ଦାବି କରିଛି କି, ଓଲିଙ୍କ ପାଖରେ ବହୁମତ ପାଇଁ ସାଂସଦଙ୍କ ହସ୍ତାକ୍ଷର ନଥିଲା , ତେଣୁ ତାଙ୍କ ଦାବି ନିରର୍ଥକ ।