ରାଷ୍ଟ୍ରପତି ପଦ ପାଇଁ ଦାବିଦାରୀ ଛାଡିପାରନ୍ତି ଜୋ ବାଇଡେନ । ମିଶେଲ ଓବାମା ଲଢିପାରନ୍ତି ରାଷ୍ଟ୍ରପତି ନିର୍ବାଚନ

160

କନକ ବ୍ୟୁରୋ : ଚଳିତ ବର୍ଷ ଶେଷକୁ ଆମେରିକାରେ ଅନୁଷ୍ଠିତ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ଏହି ନିର୍ବାଚନରେ ଜଣଙ୍କର ଆକଶ୍ମୀକ ପ୍ରବେଶ ହେବାକୁ ଯାଉଛି । ଫଙ୍କସ ନ୍ୟୁଜ ମୁତାବକ ରାଷ୍ଟ୍ରପତି ବାଇଡେନ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବା ନେଇ ଦାବିଦାରୀ ଛାଡିପାରନ୍ତି । ତାଙ୍କ ସ୍ଥାନରେ ପୂର୍ବତନ ରାଷ୍ଟ୍ରପତି ବରାକ ଓବାମାଙ୍କ ପତ୍ନୀ ମିଶେଲ ଓବାମା ପ୍ରାର୍ଥୀ ହୋଇପାରନ୍ତି ।

ଏବେ ଏବେ ସ୍ପେଶାଲ କାଉଁସିଲ ରବର୍ଟ ହୁରଙ୍କ ଏକ ରିପୋର୍ଟ ସାମ୍ନାକୁ ଆସିଛି । ସେହି ରିପୋର୍ଟରେ କୁହାଯାଇଛି କି, ବାଇଡେନ ମାନସିକ ଓ ଶାରିରୀକ ଭାବେ ଅସୁସ୍ଥ ହୋଇପଡିଛନ୍ତି । ତେଣୁ ସେ ନିର୍ବାଚନ ଲଢିବା ଠିକ୍ ହେବ ନାହିଁ । ସେପଟେ ବାଇଡେନ ଏହି ରିପୋର୍ଟକୁ ଖାରଜ କରି କହିଛନ୍ତି କି, ବୟସାଧିକ କାରଣରୁ କିଛି ଅସୁସ୍ଥତା ଦେଖିବାକୁ ମିଳିଛି । ଏହାର ମତଲବ ଏହା ନୁହେଁ କି ସେ ନିର୍ବାଚନ ଲଢିବାକୁ ଅସମର୍ଥ ଅଛନ୍ତି ।

କେବଳ ରବର୍ଟ ହୁର ନୁହଁନ୍ତି ପୂର୍ବ ବିଦେଶ ମନ୍ତ୍ରୀ ହିଲେରୀ କ୍ଲିଣ୍ଟନ ମଧ୍ୟ ବାଇଡେନଙ୍କ ମାନସିକ ସ୍ୱାସ୍ଥ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏକ ସାକ୍ଷାତକାରରେ କ୍ଲିଣ୍ଟନ କହିଛନ୍ତି କି, ଏଭଳି ସ୍ଥିତିରେ ଯଦି ଡେମୋକ୍ରାଟିକ ପାର୍ଟି ବାଇଡେନଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରେ ତେବେ ଏହାର ଫାଇଦା ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିବ ।

ସେପଟେ ଯଦି ମିଶେଲ ଓବାମାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବ ତେବେ ଏବେ ଉପ ରାଷ୍ଟ୍ରପତି ଥିବା କମଲା ହେରିସ ପ୍ରସଙ୍ଗ ଉଠିବ । ତାଙ୍କୁ ବାଦ ଦେବା ଡେମୋକ୍ରାଟିକ ପାର୍ଟି ପାଇଁ ଏତେଟା ସହଜ ହେବ ନାହିଁ । ପାର୍ଟି ଉପରେ କମଲା ହେରିସଙ୍କ ପ୍ରଭାବ ଭଲ ରହିଥିବାରୁ ସେ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଦାବି କରିପାରନ୍ତି ।