ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ମହାପ୍ରଭୁଙ୍କ ଶ୍ରୀଅଙ୍ଗ : ବସ୍ତ୍ର ଓ ଫୁଲ ତୁଳସୀ କାଟି ଦେଇଛନ୍ତି ମୂଷା;ଶ୍ରୀଅଙ୍ଗର ସ୍ଥିତି ଅନୁଧ୍ୟାନ ପରେ ସୂଚନା ଦେଲେ ସେବାୟତ

132

କନକ ବ୍ୟୁରୋ : ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ମହାପ୍ରଭୁଙ୍କ ଶ୍ରୀଅଙ୍ଗ । ଦଇତାପତି ସେବାୟତମାନେ ଶ୍ରୀଅଙ୍ଗର ସ୍ଥିତି ଅନୁଧ୍ୟାନ ପରେ ଏ ନେଇ ସୂଚନା ଦେଇଛନ୍ତି । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପ୍ରତି କୌଣସି ବିପଦ ନାହିଁ । ହେଲେ ବସ୍ତ୍ର ଓ ଫୁଲ ତୁଳସୀ କଟିଯାଇଥିବା ଦେଖିବାକୁ ମିଳିଥିଲା । ଶ୍ରୀମନ୍ଦିର ଗର୍ଭଗୃହରେ ମୂଷାଙ୍କ ଉତ୍ପାତ ଯୋଗୁ ବସ୍ତ୍ର ଓ ଫୁଲ କଟିଯାଇଥିବା ଦେଖିବାକୁ ପାଇଥିଲେ ସେବାୟତ । ଗର୍ଭଗୃହରୁ କିପରି ମୂଷାଙ୍କୁ ବାହାର କରାଯିବ ସେନେଇ ପଦକ୍ଷେପ ନିଆଯିବ ।

ଏ ନେଇ ସେବାୟତମାନେ ପ୍ରଶାସନକୁ ଅବଗତ କରିଛନ୍ତି । ପ୍ରତ୍ନତତ୍ୱ ବିଭାଗ ଏନେଇ ଆଲୋଚନା କରି ପଦକ୍ଷେପ ନେବା ପାଇଁ ସେବାୟତଙ୍କ ପକ୍ଷରୁ କୁହାଯାଇଛି । ଶ୍ରୀମନ୍ଦିର ଗର୍ଭଗୃହରେ ମୂଷାଙ୍କ ଉତ୍ପାତ ଯୋଗୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ କ୍ଷତି ପହଂଚିଥିବା ନେଇ ଚର୍ଚ୍ଚା ହେଉଥିଲା । ସେବାୟତଙ୍କ ସ୍ଥିତି ଅନୁଧ୍ୟାନ ପରେ ଏସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଗତକାଲି ମହାପ୍ରଭୁଙ୍କ ଖସାପଡ଼ା ନୀତି ରହିଥିଲା । ଶ୍ରୀଅଙ୍ଗର ଶ୍ରୀପୟର ସୁରକ୍ଷା ପାଇଁ ଏହି ନୀତି କରାଯାଇଥାଏ । ଏହି ସମୟରେ ସେବାୟତମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ସ୍ଥିତି ଅନୁଧ୍ୟାନ କରିଥାନ୍ତି ।