ହାଇଦ୍ରାବାଦକୁ ହରାଇ ପଏଂଟ ଟେବୁଲର ଶୀର୍ଷରେ ପହଂଚିଲା ଦିଲ୍ଲୀ : ଆଜି ମୁମ୍ବାଇ ଓ କୋଲକାତାରେ ମଧ୍ୟରେ ମୁକାବିଲା

ଦଳକୁ ଫେରିପାରନ୍ତି ରୋହିତ ଶର୍ମା

141

କନକ ବ୍ୟୁରୋ : ହଜ ବିଜୟରୁ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ୍-୨୦୨୧ର ଦ୍ବିତୀୟ ଚରଣ ଆରମ୍ଭ କରିଛି । ବୁଧବାର ୮ ୱିକେଟ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ପୁଣି ଥ‌ରେ ପଏଣ୍ଟ୍‌ ତାଲିକାର ପ୍ରଥମ ସ୍ଥାନକୁ ଫେରିଛି । ନବମ ମ୍ୟାଚ୍‌ରୁ ସପ୍ତମ ବିଜୟ ହାସଲ କରିଥିବା ଦିଲ୍ଲୀ ୧୪ ପଏଣ୍ଟ୍‌ ସହ ପ୍ଲେ ଅଫ୍‌ର ନିକଟତର ବି ହୋଇଛି । ଅନ୍ୟପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ତାର ପରାଜୟ ଧାରାକୁ ରୋକିନପାରି ଅଷ୍ଟମ ମୁକାବିଲାରୁ ସପ୍ତମ ପରାଜୟ ବରଣ କରିଛି। ତା ସହିତ ଏହି ଦଳ ପଏଣ୍ଟ୍‌ ତାଲିକାର ସବାଶେଷ ସ୍ଥାନରେ ପୂର୍ବଭଳି ଅପରିବର୍ତ୍ତିତ ରହିଛି ।

ଆଇପିଏଲ୍‌-୨୦୨୧ ଦ୍ବିତୀୟ ଚରଣର ପ୍ରଥମ ମୁକାବିଲାରେ ୨୦୨୦ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ପରାଜୟର ସମ୍ମୁଖୀନ ହୋଇଥିଲା। ଚେନ୍ନାଇ ସୁପରକିଙ୍ଗ୍ସ ତାକୁ ୨୦ ରନ୍‌ରେ ହରାଇ ଦେଇଥିଲା । ଅଧାଦଳ ଏକ ଅଙ୍କରେ ସୀମିତ ରହିବା ପରେ ମଧ୍ୟ ଯୁବ ଓପନର ଋତୁରାଜ ଗାଏକ୍ବାଡ୍‌ଙ୍କ ୮୮ ରନ୍‌ର ସ୍ମରଣୀୟ ପାଳି ବଳରେ ଚେନ୍ନାଇ ୧୫୭ ରନ୍‌ର ସମ୍ମାନଜନକ ସ୍କୋର କରି ନେଇଥିଲା । ଚେନ୍ନାଇ ୨୪ ରନ୍‌ରେ ୪ ୱିକେଟ୍ ହରାଇବା ସତ୍ତ୍ବେ ମୁମ୍ବାଇ ବୋଲର ଏହି ଦଳକୁ ଏକ ସମ୍ମାନଜନକ ସ୍କୋର କରିବାର ସୁଯୋଗ ଦେଇଥିଲେ । ସେହିଭଳି ବ୍ୟାଟିଂ ବେଳେ ବ୍ୟାଟର୍‌ ମଧ୍ୟ ମୁମ୍ବାଇକୁ ନିରାଶ କରିଥିଲେ। ସୌରଭ ତିୱାରୀଙ୍କ ଅର୍ଦ୍ଧଶତକ ସତ୍ତ୍ବେ ମୁମ୍ବାଇ ଘୋର ବ୍ୟାଟିଂ ବିପର୍ଯ୍ୟାୟର ସମ୍ମୁଖୀନ ହୋଇ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୩୮ ରନ୍ କରିପାରିଥିଲା । ପ୍ରଶଂସକଙ୍କ ସହ ଦଳ ମଧ୍ୟ ଅଧିନାୟକ ରୋହିତ ଶର୍ମା ଓ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିକୁ ପ୍ରତିଟି ମୁହୂର୍ତରେ ଅନୁଭବ କରିଥିଲା।

ଆଜିର ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ପୂର୍ବ ପ୍ରଦର୍ଶନକୁ ବିଚାରକୁ ନେଲେ ଜଣାପଡ଼େ ଯେ ମୁମ୍ବାଇ ଓ କୋଲକାତା ୨୮ ମ୍ୟାଚ୍‌ରେ ପରସ୍ପରର ମୁହାଁମୁହିଁ ହୋଇଛନ୍ତି । ସେଥିମଧ୍ୟରୁ ମୁମ୍ବାଇ ୨୨ ମ୍ୟାଚ୍ ଜିତିଥିଲା ବେଳେ କୋଲକାତା ମାତ୍ର ୬ ମ୍ୟାଚ୍ ଜିତି ପାରିଛି । ସେହି ଦୃଷ୍ଟିରୁ ଆଜି ମ୍ୟାଚ୍‌ରେ ମୁମ୍ବାଇ ପଲ୍ଲା ପୁଣି ଥରେ ଭାରି ରହିବାର ଯଥେଷ୍ଟ ସମ୍ଭାବନା ରହିଛି । କୋଲକାତାର ଯୁବ ଓପନର ଶୁବମନ୍ ଗିଲ ଗୁରୁବାର ନିଜ ୫୦ତମ ଆଇପିଏଲ୍ ମ୍ୟାଚ୍ ଖେଳିବେ । ରୋହିତ ଶର୍ମା ଯଦି ଏହି ମ୍ୟାଚ୍ ଖେଳି ୧୮ କିମ୍ବା ତାଠାରୁ ଅଧିକ ରନ୍ କରନ୍ତି, ତାହାଲେ କୌଣସି ଗୋଟିଏ ଦଳ ବିପକ୍ଷରେ ବ୍ୟକ୍ତିଗତ ଭାବେ ୧,୦୦୦ ରନ୍ କରିବାରେ ଆଇପିଏଲ୍ ଇତିହାସର ପ୍ରଥମ ଖେଳାଳି ହେବେ ସେ । କୋଲକାତା ବିପକ୍ଷରେ ଏବେ ସେ ୪୯.୧୦ ହାରରେ ୯୮୨ ରନ୍ କରିଛନ୍ତି। ରୋହିତ ଖେଳି ନପାରିଲେ କିରଣ ପୋଲାର୍ଡ ପ୍ରଥମ ମ୍ୟାଚ୍ ଭଳି ଏହି ମ୍ୟାଚ୍‌ରେ ବି ମୁମ୍ବାଇର ଅଧିନାୟକ ଦାୟିତ୍ବ ତୁଲାଇବେ ।