ସେପ୍ଟେମ୍ବର ୧୯ରୁ ଜମିବ ଫଟାଫଟ୍ କ୍ରିକେଟର ଧୁମ୍: ଆସିଲା ଆଇପିଏଲ-୧୩ର ଖେଳସୂଚି; ଆବୁଧାବୀରେ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ମହେନ୍ଦ୍ର ସିଂ ଧୋନି ଓ ରୋହିତ ଶର୍ମା

267

କନକ ବ୍ୟୁରୋ: ସେପ୍ଟେମ୍ବର ୧୯ ୟୁଏଇରେ ଆରମ୍ଭ ହେବ ଫଟାଫଟ୍ କ୍ରିକେଟ୍ । ଆଇପିଏଲ ୧୩ ତମ ସଂସ୍କରଣର ଖେଳସୂଚୀ ଜାରି କରିଛି ବିସିସିଆଇ । ଆବୁଧାବିରେ ଆରମ୍ଭ ହେବ ପ୍ରଥମ ମ୍ୟାଚ । ଆଉ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଧୋନୀ ଓ ରୋହିତ ଶର୍ମା । ଗତବର୍ଷ ଆଇପିଏଲ ଫାଇନାଲରେ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ ଓ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିଥିଲେ । ଏହି ଦୁଇ ଦଳ ମଧ୍ୟରେ ଖେଳାଯିବ ଚଳିତ ଆଇପିଏଲ୍ ସଂସ୍କରଣର ଉନଘାଟନୀ ମ୍ୟାଚ ।

ବିସିସିଆଇର ଖେଳସୂଚୀ ଅନୁସାରେ ସେପ୍ଟେମ୍ବର ୧୯ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ସମସ୍ତ ରାଉଣ୍ଡ-ରବିନ୍ ମ୍ୟାଚ ଖେଳାଯିବ । ୟୁଏଇର ତିନିଟି ଗ୍ରାଉଣ୍ଡରେ ସମସ୍ତ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଦୁବାଇରେ ୨୪, ଆବୁଧାବିରେ ୨୦ ଏବଂ ଶାରଜାରେ ୧୨ଟି ମ୍ୟାଚ୍ ଖେଳାଯିବ । ଫ୍ଲେ-ଅଫ୍ ମ୍ୟାଚ୍‌ର ତାରିଖ ବିସିସିଆଇ ପରେ ଘୋଷଣା କରିବ ବୋଲି ସୂଚନା ମିଳିଛି । ତେବେ ନଭେମ୍ବର ୧୦ତାରିଖରେ ଶାରଜା ଠାରେ ଫାଇନାଲ ମ୍ୟାଚ ଖେଳାଯିବା ପାଇଁ ଯୋଜନା ରହିଛି । ସଂଧ୍ୟା ମ୍ୟାଚଗୁଡିକ ଭାରତୀୟ ସମୟ ୭ଟା ୩୦ରେ ଆରମ୍ଭ ହେବ । ଯେଉଁ ଦିନରେ ଦୁଇଟି ମ୍ୟାଚ ଖେଳା ହେବାକୁ ରହିଛି, ପ୍ରଥମ ମ୍ୟାଚ ଅପରାହ୍ନ ୩ଟା ୩୦ରେ ଆରମ୍ଭ ହେବ ।