ମୁମ୍ବାଇ ଇଣ୍ଡିଆନ୍ସରେ ଅର୍ଜୁନ ତେନ୍ଦୁଲକର ସାମିଲ ହେବା ପରେ ଚର୍ଚ୍ଚା । ସେପଟେ କୋଟି କୋଟି ଟଙ୍କାରେ ନିଲାମ ହେଲେ ଅନକ୍ୟାପ୍ପ ଖେଳାଳି ।

222

କନକ ବ୍ୟୁରୋ: ଭାରତର କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରକୁ ଆଇପିଏଲ ନିଲାମୀରେ ୨୦ଲକ୍ଷ ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସ କିଣିବା ପରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଗୁରୁବାର ଚେନ୍ନାଇରେ ହୋଇଥିବା ଅକ୍ସନରେ ୨୧ବର୍ଷୀୟ ଅର୍ଜୁନ ପ୍ରଥମ ଥର ଲାଗି ସାମିଲ ହୋଇଥିବା ବେଳେ ତାଙ୍କୁ ୨୦ ଲକ୍ଷ ବେସ୍ ପ୍ରାଇସରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ । ଅର୍ଜୁନ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାମ୍ପରେ ସାମିଲ ହୋଇସାରିଛନ୍ତି ।

ଆଇପିଏଲରେ ସାମିଲ ହେବା ପରେ ପ୍ରତିକ୍ର୍ରିୟା ରଖି ଅର୍ଜୁନ ଏମଆଇକୁ ଧନ୍ୟବାଦ ଜଣାଇଛନ୍ତି । ସେପଟେ ମୁମ୍ବାଇ ଇଣ୍ଡିଆନ୍ସ ମାଲିକ ଆକାଶ ଅମ୍ବାନୀ ମଧ୍ୟ ଅର୍ଜୁନଙ୍କ ନିଲାମୀ ନେଇ ପ୍ରତିକ୍ରିୟା ରଖିଛନ୍ତି । ଗୁରୁବାର ଆୟୋଜିତ ଆଇପିଏଲ ଅକ୍ସନରେ କେତେକ ଖେଳାଳିଙ୍କ ନିଲାମୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିିଛି । ନଜର ପକାନ୍ତୁ କେତେକ ଅନକ୍ୟାପ୍ପଡ ଖେଳାଳିଙ୍କ ଉପରେ …

କର୍ଣ୍ଣାଟକର ଖେଳାଳି କୃଷ୍ଣପ୍ପା ଗୌତମଙ୍କୁ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗସ ୯କୋଟି ୨୫ଲକ୍ଷ ଟଙ୍କାରେ କିଣିଛି । ୨୦୧୭ରେ କୃଷ୍ଣପ୍ପା ମୁମ୍ବାଇ ଇଣ୍ଡିଆନ୍ସ ସହ ଜଡିତ ହୋଇଥିଲେ । ଏହାପରେ ୨୦୧୮ରେ ଦଳ ତାଙ୍କୁ ରିଲିଜ କରିଦେଇଥିଲା । ଏହାପରେ ରାଜସ୍ଥାନ ରୟାଲ୍ସ ତାଙ୍କୁ ନେଇଥିଲା । ଏହି ସିଜିନରେ ସେ ୧୨୬ରନ୍ କରିବା ସହ ୧୧ଟି ୱିକେଟ ନେଇଥିଲେ । ଏହାପରେ ୨ବର୍ଷ କୌଣସି ଟିମରେ ନଥିଲେ ।

ଅଷ୍ଟ୍ରେଲିଆର ରିଲେ ମେରିଡିଥଙ୍କ ନାଁ ହୁଏତ ପୂର୍ବରୁ ଭାରତରେ କେହି ଶୁଣିନଥିଲେ । କିନ୍ତୁ ଅଷ୍ଟ୍ରେଲିଆର ବିଗ୍ ବାସ୍ ଲିଗ୍ ବା ବିବିଏଲରେ ତାଙ୍କର ଦମଦାର ପ୍ରଦର୍ଶନ ଯୋଗୁଁ ୮କୋଟି ଟଙ୍କାର ତାଙ୍କର ନିଲାମୀ ହୋଇଛି । ପ୍ରୀତି ଜିଂଟାଙ୍କର ପଂଜାବ କିଙ୍ଗସ ତାଙ୍କୁ ୮କୋଟି ଟଙ୍କାରେ କିଣିଛି ।

ତାମିଲନାଡୁର ଖେଳାଳି ଶାହରୁଖ ଖାନ୍ । ଚଳିତ ବର୍ଷର ସୟଦ ମୁସ୍ତାକ ଅଲ୍ଲି ଟ୍ରଫିରେ ଦମଦାର ପ୍ରଦର୍ଶନ ଯୋଗୁଁ ତାଙ୍କୁ ହାର୍ଡ ହିଟିଙ୍ଗ ବ୍ୟାଟ୍ସମ୍ୟାନ ଭାବେ ସେ ବେଶ ଚର୍ଚ୍ଚାରେ ରହିଛନ୍ତି । ଶାହରୁଖଙ୍କ ବେସ୍ ପ୍ରାଇସ ୨୦ଲକ୍ଷ ଥିବା ବେଳେ ପ୍ରୀତି ଜିଂଟାଙ୍କ ମାଲିକାନାରେ ଥିବା ପଂଜାବ କିଙ୍ଗସ ଶାହରୁଖଙ୍କୁ ୫କୋଟି ୨୫ଲକ୍ଷ ଟଙ୍କାରେ କିଣିଛି ।