କନକ ବ୍ୟୁରୋ: କାଲି ଘୋଷଣା ଆଜି ମିଳିଲା । ପ୍ରଧାନମନ୍ତ୍ରୀ ଅମ୍ଫାନ କ୍ଷତିଗ୍ରସ୍ତ ଅଂଚଳ ବୁଲି ଚାଲିଯିବାର ୨୪ ଘଂଟା ଭିତରେ ବାତ୍ୟା ସହାୟତା ପାଣ୍ଠି ରିଲିଜ କରିଛନ୍ତି କେନ୍ଦ୍ର ସରକାର । ଗତକାଲି ସ୍ଥିତି ଅନୁଧ୍ୟାନ କରିବା ପରେ ୫ ଶହ ଟଙ୍କାର ଅଗ୍ରିମ ସହାୟତା ପାଇଁ ଘୋଷଣା କରିଥିଲେ ପ୍ରଧାନମନନ୍ତ୍ରୀ । ଆଉ ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ୫ ଶହ ଟଙ୍କା ରିଲିଜ କରିଥିବା ଟ୍ୱିଟ୍ କରି ଜଣାଇଛନ୍ତି ଏସଆରସି ପ୍ରଦୀପ କୁମାର ଜେନା ।
MHA released Rs 500Crore to Odisha Govt in less than 24hours of Hon’ble PM @PMOIndia@narendramodi announcement in Bhubaneswar 4 #CycloneAmaphan . We thank @PMOIndia , @narendramodi &MHA for such speed in releasing the Fund. @CMO_Odisha@Naveen_Odisha@SecyChief@manojmishratwit
— Pradeep Jena IAS (@PradeepJenaIAS) May 23, 2020
ତେବେ ଗତକାଲି ପ୍ରଧାନମନ୍ତ୍ରୀ ଓଡିଶା ଆସି ପ୍ରଭାବିତ ଅଞ୍ଚଳ ବୁଲିଦେଖିଥିଲେ । ବିମାନବନ୍ଦରରେ ପହଞ୍ଚିବା ପରେ ଆକାଶମାର୍ଗରୁ ବାତ୍ୟା ଅମ୍ଫାନ ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିଥିଲେ । ତେବେ ଅନୁଧ୍ୟାନ ପରେ ରାଜ୍ୟ ସରକାରଙ୍କ ସହ ସମୀକ୍ଷା ବୈଠକ କରି କ୍ଷତିଗ୍ରସ୍ତ ଜିଲ୍ଲାର ପୁନରୁଦ୍ଧାର ପାଇଁ ଆଉ ସ୍ଥିତିର ସୁଧାର ଆଣିବାକୁ କାଲି ପ୍ରଧାନମନ୍ତ୍ରୀ ୫୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ । ବାତ୍ୟାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଘୋଷଣା କରିଥିଲେ । ଆଉ ମୋଦି ଯିବାର ୨୪ ଘଣ୍ଟା ଭିତରେ ଘୋଷଣା କରିଥିବା ପ୍ୟାକେଜର ଟଙ୍କା ପଠାଇଛନ୍ତି କେନ୍ଦ୍ର ସରକାର ।
ସେପଟେ ମୋଦିଙ୍କ ଗସ୍ତ ପରେ ରାଜ୍ୟରେ ଜୋର ଧରିଲା ରାଜନୀତି । ବାତ୍ୟା ମୁକାବିଲାରେ ଓଡିଶା ଭଲ କାମ କରୁଥିବା କହି ଉଭୟ ଓଡିଶାବାସୀ ଓ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ହେଲେ ବାତ୍ୟା ପରବର୍ତୀ ପୁନରୁଦ୍ଧାର ଓ ଥଇଥାନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉଦାସୀନତା କଥା ଉଠାଇଛି ବିଜେପି । ଗତବର୍ଷ ଫନି ବାତ୍ୟା ପରେ ଲୋକଙ୍କୁ କ୍ଷତିପୂରଣ ଓ ସହାୟତା ମିଳିପାରିନଥିବା କହିଛନ୍ତି ବିଜେପି ନେତା ଭୃଗୁ ବକ୍ସିପାତ୍ର । ଏପରିକି ରାଜ୍ୟ ସରକାର ଫନି ସହାୟତା ପ୍ରଦାନରେ ରାଜନୀତି କରୁଥିବା ସେ ଅଭିଯୋଗ ବାଢିଛନ୍ତି ।
ତେବେ ଏହାର ଜବାବ ରଖିଛନ୍ତି ବିଜେଡି ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା । ପ୍ରଧାନମନ୍ତ୍ରୀ ଓଡିଶାର ବାତ୍ୟା ମୁକାବିଲାକୁ ପ୍ରଶଂସା କରୁଥିବାବେଳେ ରାଜ୍ୟ ବିଜେପି ରାଜନୀତି ନକରିବାକୁ ପରାମର୍ଶ ଦେଇଛନ୍ତି । ସେପଟେ ପିସିସି ସଭାପତି କହିଛନ୍ତି ଯେ, ଓଡିଶା ଲୋକେ ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସହ ଅଭ୍ୟସ୍ତ । ବାତ୍ୟାର ଦୀର୍ଘମିଆଦି ପ୍ରତିକାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସେ ସମାଲୋଚନା କରିଛନ୍ତି । ଫନି ପରେ ମଧ୍ୟ ଏଭଳି ପ୍ରସ୍ତାବ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ ସୁଦ୍ଧା ଏଯାଏ କୌଣସି ରୂପରେଖ ସ୍ଥିର କରିପାରିନଥିବା ଅଭିଯୋଗ ବାଢିଛନ୍ତି ନିରଞ୍ଜନ ପଟ୍ଟନାୟକ ।