ଫଟୋ ଦେଖାଇ ମନରେଗା ଯୋଜନାରେ ଦୁର୍ନୀତି । ପୋଖରୀ କାମ ନକରି ଅନ୍ୟ ପୋଖରୀ ଫଟୋ ଦେଖାଇ ୭ ଲକ୍ଷ ଲୁଟିନେଲେ ଠିକାଦାର ଓ ଅଧିକାରୀ ।

168

କନକ ବ୍ୟୁରୋ : ଧର୍ମକୁ ଆଖି ଠାର କରି ଚଳୁ କରିଦେଲେ ଲକ୍ଷ ଲକ୍ଷ ଟଙ୍କା । ମନରେଗା ଯୋଜାନାରେ ଘୋଟାଲା କିଛି ନୂଆ କଥା ନୁହେଁ । କିନ୍ତୁ କିଛି କାମନକରି ସମ୍ପୂର୍ଣ୍ଣ ପଇସା ଆତ୍ମସାତ କରି ଦିଆଯାଇଛି । ଯାହା ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି । କନକ ନ୍ୟୁଜ ହାତରେ ଲାଗିଛି ତାର ଏକ୍ସକ୍ଲୁସିଭ ପ୍ରମାଣ ।

ମନରେଗା ଦୁର୍ନୀତିର ବିକଳ ଚିତ୍ର । ଫଟୋ ଦେଖାଇ ଲୁଟି ନେଲେ ୭ ଲକ୍ଷ । ଶ୍ରମିକଙ୍କୁ କାମ ଦେବା ଉଦ୍ଦେଶ୍ୟରେ କୋରାପୁଟ ଜୟପୁର ବ୍ଲକ କଙ୍ଗା ପଞ୍ଚାୟତର ପାକୁଲୁଗୁଡ଼ା ଗାଁରେ ପୋଖରୀର ପୁର୍ନଉଦ୍ଧାର ପାଇଁ ଯୋଜନା ହେଲା । ମନରେଗା ଯୋଜନାରେ ୯ଲକ୍ଷ ଟଙ୍କା ଦିଆଗଲା । ହେଲେ ପୋଖରୀର ପୁର୍ନଉଦ୍ଧାର ହେଲା ନାହିଁ, କିନ୍ତୁ ଦାୟିତ୍ୱରେ ଥିବା କର୍ମଚାରୀ ଓ ଅଧିକାରି ଆଉ ଏକ ପୋଖରୀର ଫଟୋ ଦେଖାଇ ସବୁ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି ।

ଗ୍ରାମବାସୀଙ୍କ ଅଭିଯୋଗର ସତ୍ୟାସତ ଜାଣିବା ପାଇଁ କନକ ନ୍ୟୁଜ କ୍ୟାମେରା ପହଞ୍ଚିଥିଲା ସେଇ ପୋଖରୀ ପାଖରେ । ପୋଖରୀର ପୁନଃରୁଦ୍ଧାର କହିଲେ, କେବଳ ଘାସ ସଫା ହୋଇଛି । ପୋଖୀରରୁ ଘାସ ସଫା କରିବା ପାଇଁ ସରକାରୀ ତହବିଲରୁ ୯ ଲକ୍ଷ ଟଙ୍କା ହଡପ କରାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ପୋଖରୀ ଠିକା କାମ ନେଇଥିବା ଯୁକ୍ତ ୨ର ଜଣେ ଛାତ୍ର, ନିଜେ ସ୍ୱୀକାର କରିଛନ୍ତି ଏଠାରେ ଠକେଇ ହୋଇଛି, ତାଙ୍କୁ ୨ ଲକ୍ଷ ଟଙ୍କା ମିଳିଛି ।

ତେବେ ଏଠି ପ୍ରଶ୍ନ ଉଠୁଛି ପ୍ରଶାସନିକ ଅଧିକାରୀ କରୁଥିଲେ କ’ଣ ? କାମର ଅନୁଧ୍ୟାନ ନକରି କେମିତି ୯ ଲକ୍ଷ ଟଙ୍କା ବିଲ୍ ପାସ୍ କଲେ ? ସରକାରୀ ତହବିଲରୁ ଆତ୍ମସାତ ହୋଇଥିବା ଏଇ ଅର୍ଥ ଭରଣା କରିବ କିଏ ? ସାଧାରଣରେ ଏମିତି ପ୍ରଶ୍ନ ଉଠୁଥିବା ବେଳେ ସବୁ ଅଭିଯୋଗକୁ ସ୍ୱୀକାର କରିଛନ୍ତି ଜୟପୁର ବିଡିଓ ।