ମନରେଗାରେ ମହାଦୁର୍ନୀତି ! କାମ କରିଛି ଜେସିବି, ଜବକାର୍ଡଧାରୀଙ୍କ ନାଁରେ ହୋଇଛି ବିଲ୍, କାଦୁଅ ରାସ୍ତା କରି ଉଠାଯାଇଛି ଟଙ୍କା ।

117

କନକ ବ୍ୟୁରୋ : ମନରେଗା ଯୋଜନାରେ ସାଂଘାତିକ ଦୁର୍ନୀତି । କାମର ନାଁ ନାହିଁ ହେଲେ ଉଠାଯାଇଛି ବିଲ୍ । ଆଉ ଫଳ ସୂରୁପ ଏବେ ରାସ୍ତା ପାଲଟିଛି ମରଣଯନ୍ତା । ଏଭଳି ଅଭିଯୋଗ ଆସିଛି କପ୍ତିପଦା ବ୍ଲକ ଠାରୁ ମାତ୍ର ୮ କିଲୋମିଟର ଦୂରରୁ ।

ମୟୂରଭଂଜ କପ୍ତିପଦା ବ୍ଲକ ଠାରୁ ୮ କିଲୋମିଟର ଦୂରରେ ରହିଛି କୁଅଁରପୁର ଗାଁର ରାସ୍ତା । ୨୦୨୦ରୁ ରାସ୍ତା ତିଆରି ପାଇଁ ବ୍ଲକ ପକ୍ଷରୁ ୫ ଲକ୍ଷ ଟଙ୍କାର ଅନୁଦାନ ଆସିଛି । ସେବେ ଠାରୁ ରାସ୍ତାରେ ମାଟି ମୁଠାଏ ପଡିନଥିଲା । ଏବର୍ଷ ବର୍ଷା ଦିନେ ଠିକାଦାର କିଛି ମାଟି ଏବଂ ପଥର ପକାଇଦେଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା, ରାସ୍ତାରେ କାମ କିଛି ହୋଇନି, କିନ୍ତୁ ମଷ୍ଟର ରୋଲ ବାହାରି ସାରିଛି । ୫ ଲକ୍ଷରୁ ୩ ଲକ୍ଷ ଟଙ୍କାର ବିଲ୍ ହୋଇସାରିଛି ।

ମାଟି କାଦୁଅରେ ଜଡସଡ ଏଇ ରାସ୍ତାର ଅବସ୍ଥାକୁ ନେଇ ଗ୍ରାମବାସୀ ବିଡିଓ, ଜେଇଙ୍କୁ ଅବଗତ କରାଇଛନ୍ତି । କିନ୍ତୁ ଏଥିପ୍ରତି କାହାର ନିଘା ନାହିଁ । ଗାଁ ଲୋକଙ୍କ ଅଭିଯୋଗ ନେଇ ଆମପ୍ରତିନିଧି ସ୍ଥାନୀୟ ବିଡିଓଙ୍କୁ ଭେଟିଥିଲେ । ହେଲେ ସେ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିବାକୁ ନାରାଜ । ସେପଟେ କାମର ତଦାରଖ କରିଥିବା ଜେଇ ଯିତେନ ସାହୁ, ଏଠାରୁ ବଦଳି ହୋଇଯାଇଥିବା କହି ନିଜ ମୁଣ୍ଡରୁ ସବୁ ଦୋଷ ଖସେଇ ଦେଇଛନ୍ତି ।

ରାସ୍ତାର ଆଉ ଏକ ଦୁର୍ନୀତି ବାବଦରେ ବି ଜାଣନ୍ତୁ, ଏଠାରେ ଜେସିବି ସାହାଯ୍ୟରେ ମାଟି ଏବଂ ପଥର ପକାଯାଇଛି । କିନ୍ତୁ ମନରେଗା ଯୋଜନାରେ ଅର୍ଥାତ୍ ଜବକାର୍ଡଧାରୀଙ୍କ ନାମରେ ଟଙ୍କା ଉଠିଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଏ ବାବଦରେ ବି ମୁହଁ ଖୋଲୁନାହାନ୍ତି ଜେଇ କି ବିଡିଓ ।