ମନରେଗା କାମରେ ମହାଘୋଟାଲା: ଦୁର୍ନୀତିର ସତ ଖୋଲି ଦେଲା ସରକାରୀ ୱେବ ସାଇଟ୍ 

140

କନକ ବ୍ୟୁରୋ: ଜନସାଧାରଣଙ୍କ ନିମନ୍ତେ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି । ମନରେଗା ଯୋଜନାରେ ଲୋକଙ୍କୁ କାମ ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି । ହେଲେ ଏହାକୁ ମାଧ୍ୟମ କରି ଲୁଟ୍ ଚାଲିଛି । ସରକାରୀ ୱେବସାଇଟ୍ ମହାଘୋଟାଲାର ସତ ଖୋଲି ଦେଇଛି । ଠିକାଦାରଙ୍କ ଠାରୁ ଆରମ୍ଭ କରି ଜିଆରଏସ୍, ଜେଇ ଏବଂ ଉପରିସ୍ଥ ଅଧିକାରୀ ସମସ୍ତେ ଲୁଟିବାରେ ବ୍ୟସ୍ତ ଅଛନ୍ତି । ମୟୂରଭଂଜ ଜିଲ୍ଲା କପ୍ତିପଦା ବ୍ଲକ ବଡଖଲାଡି ପଂଚାୟତରେ ମନରେଗାରେ ମହାଘୋଟାଲା ହୋଇଛି । ପଂଚାୟତର ନଛିପୁର  ଅଂଚଳରେ ଧରଣୀଧର ଜମି ଠାରୁ ପୁରୁଷୋତମ ଜେନା ଜମି ପର୍ଯ୍ୟନ୍ତ ଏକ ଫିଲ୍ଡ ଚ୍ୟାନେଲ୍ ନାମରେ ୨୦୨୦ରେ ଆରମ୍ଭ ହୋଇଥିଲା ।

ଯାହାର ମଷ୍ଟର ରୋଲ ବାହାରି ସାରିଛି ଏବଂ କାମ ବାବଦରେ ୨ ଲକ୍ଷ ୯୦  ହଜାର ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି । ହେଲେ ସେହି ସମାନ ନାମରେ ପୁଣି ୨୦୨୧ ମସିହାରେ କାମ ହୋଇଛି । ଏବଂ ଦୁଇଟି କାମ ଚାଲୁ ରହିଥିବା ସରକାରୀ ରିପୋର୍ଟ କହୁଛି । ହେଲେ ଧରଣୀଧର ଜମି ଠାରୁ ପୁରୁଷୋତମ ଜେନା ଜମି ପର୍ଯ୍ୟନ୍ତ କୌଣସି କାମ ହୋଇ ନଥିବା ଜମି ମାଲିକ ପୁରୁଷୋତମ ଜେନା କହିଛନ୍ତି । ଗୋଟିଏ କାମକୁ ତିନି ତିନି ଥର ବିଲ୍ କରି ଲକ୍ଷ ଲକ୍ଷ ଟଙ୍କା ଲୁଟ୍ ହୋଇଛି । ସେହିପରି ନଛିପୁର ପ୍ରଧାନମନ୍ତ୍ରୀ ସଡକ ଠାରୁ ବନ୍ଧୁଆସାହି ପର୍ଯ୍ୟନ୍ତ ଡ୍ରେନ୍ କାମ  ୨୦୨୧ରେ ଦୁଇ ଥର ହୋଇଛି । ଯାହାକି ୨ଟି କାମରେ ଅଲଗା ଅଲଗା କୋର୍ଡ ନମ୍ବର ରହିଛି । ହେଲେ ବାସ୍ତବରେ ପ୍ରଧାନମନ୍ତ୍ରୀ ସଡକ ଠାରୁ ବନ୍ଧୁଆସାହି ପର୍ଯ୍ୟନ୍ତ କୌଣସି ଡ୍ରେନ୍ କାମ ଆରମ୍ଭ ହୋଇନାହିଁ । ଆଦୌଂ କାମ ନକରି ୧୫ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଛି ।

ସେହିପରି ବ୍ରାହ୍ମଣବନ୍ଧ ଠାରୁ ରସାନନ୍ଦ ଜମି ପର୍ଯ୍ୟନ୍ତ ଦୁଇଟି କାମ ହୋଇଛି । ଗୋଟିଏ କାମ ୨୦୧୯ରେ ଆରମ୍ଭ ହୋଇଥିବା ବେଳେ ଆଉ ଗୋଟିଏ ୨୦୨୧ରେ ହୋଇଥିବା ସରକାରୀ ରିପୋର୍ଟରେ ଦେଖାଯାଇଛି । ହେଲେ ୪-୫ ବର୍ଷ ପୂର୍ବରୁ ହୋଇଥିବା କାମକୁ ଦୁଇ ଥର ଦେଖାଯାଇ ମଷ୍ଟର ରୋଲ ବାହାର କରାଯାଇଛି । ସେହିପରି ବଡଖଲାଡି ଶିବ ମନ୍ଦିରରେ ୨୦୨୧ ମସିହାରେ ୨ଟି ଡ୍ରେନିଂ ୟାର୍ଡ ତିଆରି କରାଯାଇଛି । ଗୋଟିଏ ଫଳକକୁ ଭାଙ୍ଗି ଦିଆଯାଇଥିବା ବେଳେ ଅନ୍ୟ ଫଳକ ଦେଖାଇ ଲୁଟ୍ ହୋଇଛି ଲକ୍ଷ ଲକ୍ଷ ଟଙ୍କା ।