କେରଳ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ମେଟ୍ରୋ ମ୍ୟାନ୍ ଇ.ଶ୍ରୀଧରନ୍ । ସୂଚନା ଦେଲେ କେରଳ ବିଜେପି ମୁଖ୍ୟ

237

କନକ ବ୍ୟୁରୋ: ଦେଶରେ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ନିର୍ବାଚନ ତାରିଖ ଘୋଷଣା କରିସାରିଛନ୍ତି । ତାରିଖ ଘୋଷଣା ପରେ ବିଭିନ୍ନ ରାଜନୈତିକ ଦଳମାନଙ୍କ ତରଫରୁ ନିର୍ବାଚନ ପାଇଁ ପ୍ରସ୍ତୁତି , ପ୍ରାର୍ଥୀ ତାଲିକା ଓ ରଣନୀତି ଜୋର ଧରିଛି । ଏହାରି ମଧ୍ୟରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ଏବେ କେରଳରେ ନିଜର ସ୍ଥିତି ଦୃଢ କରିବାକୁ ମେଟ୍ରୋମ୍ୟାନ ଇ.ଶ୍ରୀଧରନଙ୍କ ଉପରେ ଭରଶା କରିଛି ।

ଶ୍ରୀଧରନଙ୍କୁ ଦଳ କେରଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେପି । ଏନେଇ ରାଜ୍ୟ ବିଜେପି ମୁଖ୍ୟ କେ ସୁଦର୍ଶନ ଟ୍ୱିଟ୍ କରି ଜଣାଇବା ସହ କେନ୍ଦ୍ରମନ୍ତ୍ରୀ ବି.ମୁରଲୀଧରନ୍ ଘୋଷଣା କରିଛନ୍ତି କି, ମେଟ୍ରୋମ୍ୟାନ କେରଳ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ସେ କହିଛନ୍ତି କି ଭାଜପାରେ ଶ୍ରୀଧରନଙ୍କୁ ସାମିଲ କରାଇବା ବଡ ଉପଲବ୍ଧି ଭାବେ ବିବେଚନା କରାଯାଉଛି । ଶ୍ରୀଧରନ୍ ଙ୍କ ଭାବମୂର୍ତ୍ତି ସମ୍ପୁର୍ଣ୍ଣ ନିର୍ମଳ ବୋଲି ସେ କହିବା ସହ ଶ୍ରୀଧରନଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଆଗକୁ ଆଣିଲେ ବିଜେପି ଲାଭବାନ ହେବ । ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ଶ୍ରୀଧରନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବେଶ୍ ପ୍ରଶଂସା କରିଥିଲେ । ମୋଦି ଜଣେ ସଚ୍ଚୋଟ ରାଜନେତା ଓ ତାଙ୍କ ହାତରେ ଦେଶର ଭବିଷ୍ୟତ ସୁରକ୍ଷିତ ରହିବ ବୋଲି ସେ କହିଥିଲେ ।

ଅନ୍ୟପଟେ ପୁଣିଥରେ ଏଲଡିଏଫ୍ କେରଳରେ ସରକାର ଗଠନ କରିବ ବୋଲି କହିଛି ସି-ଭୋଟର ସର୍ଭେ । ଗତ ୨୦୧୬ ବିଧାନସଭା ନିର୍ବାଚନରେ ୟୁଡିଏଫ୍ କୁ ବହୁ ପଛରେ ପକାଇ ବାମ ମୋର୍ଚ୍ଚା ବା ଏଲଡିଏଫ୍ ସରକାର ଗଠନ କରିଥିଲା । ଦେଶରେ ନରେନ୍ଦ୍ର ମୋଦିଙ୍କ ହାୱା ବାତ୍ୟାଭଳି ଆଗକୁ ମାଡୁଥିବା ବେଳେ ବି କେରଳରେ ମୋଦିଙ୍କ ପ୍ରଭାବ ପଡି ନଥିଲା । ୨୦୧୬ ନିର୍ବାଚନରେ କେବଳ ଗୋଟିଏ ବିଧାନସଭା ଆସନରେ ହାତେଇବାରେ ସଫଳ ହୋଇଥିଲା ବିଜେପି ।