କନକ ବ୍ରୁରୋ: ସାରା ଦେଶରେ ଝଡ଼ ସୃଷ୍ଟି କରିଛି ‘ମି ଠୁ’ ଅଭିଯାନ । ଯାହାର ପ୍ରଭାବରୁ ବର୍ତ୍ତି ପାରିନି କ୍ରିକେଟ ଜଗତ । ତେଣୁ କ୍ରିକେଟ ଜଗତକୁ ଯୌନ ଶୋଷଣ ମୁକ୍ତ ରଖିବା ପାଇଁ ଆଇସିସି ଅଣ୍ଟା ଭିଡ଼ିଛି । ଆଉ ଏହାର ପ୍ରାରମ୍ଭିକ ପ୍ରକ୍ରିୟା ଆସନ୍ତା ମହିଳା ଟି-୨୦ ବିଶ୍ୱକପ ପୂର୍ବରୁ ହିଁ ଦେଖିବାକୁ ମିଳିବ । କାରଣ ଆସନ୍ତା ନଭେମ୍ବର ୯ ତାରିଖରୁ ଆରମ୍ଭ ହେବାକୁଥିବା ମହିଳା ଟି-୨୦ ବିଶ୍ୱକପ ପୂର୍ବରୁ କ୍ରିକେଟରେ ଯୌନ ଶୋଷଣର ନହେବାକୁ ନେଇ ନୂଆ ନିୟମ ଲାଗୁ କରିବାକୁ ଯାଉଛି ଆଇସିସି ।
ସୁଚନା ମୁତାବକ ଗତାକାଲି ସିଙ୍ଗାପୁରରେ ବସିଥିବା ଆଇସିସିର ଏକ ମହତ୍ବପୂର୍ଣ୍ଣ ବୈଠକରେ ଏଥିନେଇ ବିସ୍ତୃତ ଆଲୋଚନା ହୋଇଛି। କ୍ରିକେଟରେ ମଧ୍ୟ ମହିଳାମାନେ ଶୋଷଣର ଶିକାର ହେଉଥିବା ଖବର ପ୍ରକାଶ ପାଇବା ପରେ ଆଇସିସି ଏଥିନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଏଭଳି ଘଟଣାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଆଇସିସି ମୁଖ୍ୟ ପରିଚାଳନା ଅଧିକାରୀ ଲେନ୍ ହିଗିନ୍ସ ଏବଂ ବରିଷ୍ଠ ଓକିଲ ସାଲି କ୍ଲାର୍କ ମହିଳା କ୍ରିକେଟ୍ ସମିତିକୁ ପଠାଇଥିବା ପତ୍ରରେ କହିଛନ୍ତି। ବିଶ୍ବକପ ପୂର୍ବରୁ ଏଥିନେଇ ନିୟମ କାନୁନ ପ୍ରସ୍ତୁତ କରିବାକୁ ଉଭୟ ଆହ୍ବାନ କରିଛନ୍ତି।
ମହିଳାମାନେ କର୍ମ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରକାର ଶୋଷଣ ବିରୋଧରେ ଆରମ୍ଭ ହୋଇଥିବା ମି-ଠୁ ଅଭିଯାନରେ ବିସିସିଆଇ ମୁଖ୍ୟ ରାହୁଲ ଜୋହରିଙ୍କ ନାଁ ଆସିବା ପରେ ଆଇସିସି ଏହାକୁ ଅଧିକ ଗୁରୁତ୍ବ ଦେବା ଆରମ୍ଭ କରିଛି । ଅନ୍ୟପଟେ ‘ମି-ଠୁ’ ଜାଲରେ ରାଜନେତା ଠାରୁ ଆରମ୍ଭ କରି ପ୍ରତିଷ୍ଠିତ ଫିଲ୍ମ କଳାକାର ଓ ନିର୍ଦ୍ଦେଶକ ମାନେ ଛନ୍ଦି ହେବାରେ ଲାଗିଛନ୍ତି । ପୂର୍ବରୁ ମଧ୍ୟ କେତେକ ଘରୋଇ କ୍ଲବର ପ୍ରଶିକ୍ଷକ, ସହାୟକ ଅଧିକାରୀ, ଟିଭି କଂପାନିର ନିଦେର୍ଶକଙ୍କ ବିରୋଧରେ ଉଦୀୟମାନ ମହିଳା ଖେଳାଳିମାନେ ଆଶାଳୀନ ବ୍ୟବହାରର ଅଭିଯୋଗ କରି ସାରିଛନ୍ତି । ତେଣୁ ଆଇସିସି ତୁରନ୍ତ ନୂଆ ନିୟମ ଆଣିବା ଦରକାର ବୋଲି ମଧ୍ୟ ସାଧାରଣରେ ମତ ପ୍ରକାଶ ପାଇଛି ।