ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨ ଜିଲ୍ଲାରେ ଘୂର୍ଣ୍ଣିଝଡ଼ ସମ୍ଭାବନା । ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ ହୋଇପାରେ ବଜ୍ରାପାତ । ୟେଲୋ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

324

କନକ ବ୍ୟୁରୋ: ଆଜି ଦିନ ୧ଟା ୩୦ରୁ ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ରାଜ୍ୟର ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବର୍ଷା ପବନ ସହ କାଳବୈଶାଖୀର ସମ୍ଭାବନା ରହିଛି। ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ ଏସମ୍ବନ୍ଧରେ କୁହାଯାଇଛି ।

ଏହି ସମୟ ମଧ୍ୟରେ ରାଜ୍ୟର ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି।  ବର୍ଷା ସହ କିଛି ସ୍ଥାନରେ ବଜ୍ରପାତ ଏବଂ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ସମୟ ମଧ୍ୟରେ ଓଡିଶାର ବାକି ଜିଲ୍ଲାମାନଙ୍କରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ।

ଏତଦ୍‌ବ୍ୟତୀତ ମାର୍ଚ୍ଚ ୩୦ ତାରିଖ ଠାରୁ ଅପ୍ରେଲ ୨ ତାରଖ ପର୍ୟ୍ୟନ୍ତ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରହାହ ଅନୁଭୂତ ହେବ ବୋଲି ସତର୍କ କରାଇଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମଧ୍ୟାହ୍ନ ପରେ ଲୋକମାନଙ୍କୁ ଘର ଭିତରୁ ପଦାକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।