କନକ ବ୍ୟୁରୋ: ମୌସୁମୀ ବର୍ଷା ଓଡ଼ିଶାକୁ ଭିଜାଇଥିବା ବେଳେ ଏବେ ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଏହି ଲଘୁଚାପ କ୍ଷେତ୍ର ସହ ଜଡିତ ଘୂର୍ଣ୍ଣିବଳୟର ବ୍ୟାପ୍ତି ବାୟୁମଣ୍ଡଳର ମଧ୍ୟଭାଗ ଯାଏଁ ରହିବା ସହ ଏହା ବାୟୁମଣ୍ଡଳରେ ଉଚ୍ଚତା ସହ ଦକ୍ଷିଣ-ପଶ୍ଚିମ ଦିଗରେ ଢଳି ରହିଛି । ଏହି ଲଘୁଚାପ କ୍ଷେତ୍ର ଆହୁରି ଅଧିକ ଘନୀଭୂତ ହେବ। ଆଗାମୀ ୪୮ ଘଣ୍ଟା ମଧ୍ୟରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ ।

Advertisment
  • ଆଗାମୀ ୨୪ ଘଣ୍ଟାରେ ୨ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଓ ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ବାଲେଶ୍ୱର, ଭଦ୍ରକକୁ ରେଡ ୱାର୍ଣ୍ଣିଂ
  • ମୟୂରଭଞ୍ଜ, କେଉଁଝର, ଢେଙ୍କାନାଳ,ଯାଜପୁର, କେନ୍ଦ୍ରାପଡା, ଅନୁଗୁଳ, ଦେବଗଡ, ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା, ବରଗଡକୁ ଅରେଞ୍ଜ ୱାର୍ଣ୍ଣିଂ

ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଏବଂ ଝାଡ଼ଖଣ୍ଡ ମଧ୍ୟ ଦେଇ ଆଗାମୀ ୪୮ ଘଣ୍ଟାରେ ଅତିକ୍ରମ କରିବାର ସମ୍ଭାବନା ରହିଛି l ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବିସ୍ତୃତି ବର୍ଷା ସହ ଉତ୍ତର ଓଡ଼ିଶାର କେତକ ଜିଲ୍ଲାରେ ତଥା ବାଲେଶ୍ଵର ଓ ଭଦ୍ରକରେ ପ୍ରବଳରୁ ଅତି ପ୍ରବଳ ୧୨ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ୧୧ ଜିଲ୍ଲାରେ ୭ରୁ ୧୧ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଲଘୁଚାପ ପ୍ରଭାବରେ ୫ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିପାରେ।

ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାଏଁ ୬୭୨.୧ ମିମି ବର୍ଷା ରେକର୍ଡ ହୋଇଛି। ଏବେ ବି ୧୦ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି। ମାଲକାନଗିରିରେ ସ୍ଵାଭାବିକ ଠାରୁ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୩ ଜିଲ୍ଲାରେ ଅଧିକ ବର୍ଷା ଓ ୧୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ବାକି ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା କରାଯାଇଛି।