ଗଲୱାନ ବିବାଦକୁ ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଲଦାଖର ବାସ୍ତବ ସ୍ଥିତି ନେଇ ସମୀକ୍ଷା; ପରିସ୍ଥିତିକୁ ନଜରରେ ରଖି ସେନାର ପ୍ରସ୍ତୁତି ନେଇ ଆଲୋଚନା

397

କନକ ବ୍ୟୁରୋ: ଗଲୱାନ ବିବାଦକୁ ନେଇ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କରୁଛନ୍ତି ଉଚ୍ଚସ୍ତରୀୟ ବୈଠକ । ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଚିଫ୍ ଅଫ୍ ଡିଫେନ୍ସ ଜେନେରାଲ ବିପିନ୍ ରାୱତ୍ , ତିନି ସେନାର ମୁଖ୍ୟ ସାମିଲ ହୋଇଛନ୍ତି । ବର୍ତମାନ ଲଦାଖରେ ବାସ୍ତବ ସ୍ଥିତିର ସମୀକ୍ଷା କରାଯିବ । ଆଗାମୀ ସମୟକୁ ପରିସ୍ଥିତିକୁ ନଜରରେ ରଖି ସେନା କିପରି ପ୍ରସ୍ତୁତି କରିବା ଆବଶ୍ୟକ ଏହି ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହେବ ।

ଗତ ୧୫ ତାରିଖ ରାତିରେ ଚୀନ୍ ସେନା ଗଲୱନ୍ ଘାଟିରେ ଭାରତୀୟ ସେନା ଉପରେ ଆକ୍ରମଣ କରିଥିଲା । ଏହି ବର୍ବରୋଚିତ ଘଟଣାରେ ୨୦ ଭାରତୀୟ  ଯବାନ ସହିଦ୍ ହୋଇଥିଲେ । ଏହା ପରେ ସ୍ଥିତି ସାମାନ୍ୟ କରିବାକୁ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଅଧିକାରୀ ସ୍ତରୀୟ ଆଲୋଚନା ବି ହୋଇଛି । ଘଟଣା ପରେ ପରେ ପ୍ରତିରକ୍ଷା ମନ୍ତ୍ରୀ ସେନା ମୁଖ୍ୟଙ୍କ ସହିତ ଏକାଧିକ ଥର ଆଲୋଚନା କରିଛନ୍ତି । ଲଦାଖରେ ଭାରତ ଓ ଚୀନ୍ ସେନା ମଧ୍ୟରେ ହିଂସାକାଣ୍ଡ ପରେ ଭାରତ ଏବେ ସ୍ଥଳ, ଆକାଶ ଏବଂ ଜଳ ପଥରେ ସୁରକ୍ଷାକୁ ଅଧିକ କଡାକଡି କରିଛି ।

ଭାରତ ଲଦାଖ ସୀମାରେ ଫାଇଟର ଜେଟ୍ ଏବଂ ଆପାଚୀ ଆଟାକ୍ ହେଲିକପ୍ଟର ମୁତୟନ କରିଛି । ତିନି ସେନା ସଜାଗ ହୋଇ ରହିବାକୁ ଗତ ୧୮ ଜୁନ୍ ର ବୈଠକରେ ରାଜନାଥ ସିଂ ନିର୍ଦ୍ଦେଶ ଦେଇଥିଲେ । ଭାରତ ଏବେ ଚୀନ୍ ସୀମା ସହିତ ଲାଗି ରହିଥିବା ୩ ହଜାର ୫ ଶହ କିମି ସୀମା ଉପରେ କଡା ନଜର ରଖିଛି । ତିନି ସେନା ମଧ୍ୟ ହାଇଆଲର୍ଟରେ ରହିଛି । ଭାରତ ଏବେ ଲଦାଖ ସହିତ ଅରୁଣାଚଳ ପ୍ରଦେଶ, ଉତରାଖଣ୍ଡ, ହିମାଚଳ ପ୍ରଦେଶରେ ଲାଇନ୍ ଅଫ୍ ଆକଚୁଆଲ୍ କଂଟ୍ରୋଲ ସହିତ ସମସ୍ତ ଆଗୁଆ ପୋଷ୍ଟ ଗୁଡିକରେ ଅତିରିକ୍ତ ସୈନ୍ୟ ବଳ ମଧ୍ୟ ଠୁଳ କରିଛି ।