ଆଜି ପବିତ୍ର ଦେବସ୍ନାନ ନୀତି: ୧୦୮ ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ…ଜାଣନ୍ତୁ କଣ ରହିଛି ସୁନା କୁଅର ଏହି ପବିତ୍ର ଜଳର ବିଶେଷତ୍ୱ

296

କନକ ବ୍ୟୁରୋ: ଆଜି ଶ୍ରୀ କ୍ଷେତ୍ରରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ଦେବସ୍ନାନ ନୀତି । ୧୦୮ ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ । ତେବେ ଜଗନ୍ନାଥଙ୍କ ୩୫ ଗୋଟି ଗରା ଏବଂ ବଳଭଦ୍ର ୩୩ ଗରା, ଦେବୀ ସୁଭଦ୍ରା ୨୨ ଗୋଟି ଗରା ଏବଂ ୧୮ ଗୋଟି ଗରାରେ ସ୍ନାନ କରିବେ ପ୍ରଭୁ ସୁଦର୍ଶନ । ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ସାଧାରଣ ଦିନପରି ଶ୍ରୀମନ୍ଦିରରେ କବାଟଫିଟା, ପାହାନ୍ତିଆ ଅବକାଶ, ଗୋପାଳବଲ୍ଲଭ,ସକାଳଧୂପ, ଦ୍ୱିପ୍ରହରଧୂପ ଆଦି ସମସ୍ତ ନୀତିର ସମାପନ ପରେ ସ୍ୱଳ୍ପସମୟ ପାଇଁ ପହୁଡ଼ ହୁଏ ଓ ପରେ ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହେଇଯାଏ । ଏହିଦିନ କୋଠ ସିଆଁସିଆ ମନ୍ଦିରରେ ପ୍ରବେଶ କରନ୍ତି ଓ ପହଣ୍ଡି ପାଇଁ ଚାରମାଳ ବାନ୍ଧନ୍ତି । ପ୍ରଭୁଙ୍କର ସେନାପଟା ଓ ବାହୁଟିନାଗି ହୁଏ । ରତ୍ନ ସିଂହାସନ ଉପରେ ମଙ୍ଗଳାର୍ପଣ କରାଯାଏ ।

ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଇତାମାନେ ପହଣ୍ଡି କରାଉଥିବା ବେଳେ ମଦନମୋହନଙ୍କୁ କେବଳ ମହାଜନ ସେବକମାନେ (ବ୍ରାହ୍ମଣ ଗୋଷ୍ଠୀର ସେବକ) ବିଜେ କରାଇଥାନ୍ତି । ପହଣ୍ଡି ବିଜେ ସମୟରେ ସାତ ପାହଚ ଉପରେ ଠାକୁରମାନେ ଚୂଳ ଓ ଟାହିଆ ଲାଗି ହୁଅନ୍ତି । ଏହି ସାତପାହଚ ଉପରେ ଟାହ୍ୟାନାଗି ହେବାପରେ ଦ୍ୱିତୀୟ ମଙ୍ଗଳାର୍ପଣ ହୁଏ । ତା ପରେ ବନ୍ଦାପନା ଓ ପରେ ପରେ ରାଘବଦାସ ମଠରୁ ଆସିଥିବା ଘଷା ନାଗି କରାଯାଏ । ତା ପରେ ପନ୍ତି ଖାଇ ଖାଇ ଠାକୁରମାନେ ସ୍ନାନବେଦିକୁ ଯାଇ ନିଜର ଆସ୍ଥାନ ଉପରେ ଅବସ୍ଥାନ କରନ୍ତି । ସୁଆର ବଡୁ ଅମ୍ଭୂଣିଆ ପାଣି ଛିଞ୍ଚନ୍ତି । ଗରାବଡୁ ସୁବର୍ଣ୍ଣକଳସ ଧରି ଶିତଳାଦେବୀଙ୍କ ସମ୍ମୁଖସ୍ଥ ଓ ବର୍ଷତମାମ ଅପବ୍ୟବହୃତ ହୋଇ ରହିଥିବା ସ୍ୱର୍ଣ୍ଣକୂପରୁ ଜଳ ଆଣନ୍ତି ।

ଦେବସ୍ଥାନ ପୂର୍ଣ୍ଣିମାର ପୂର୍ବ ଦିନ ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିରର ଦେବଯାନ ମାର୍ଗରେ ଅବା ସୁନା କୂଅରୁ ୧୦୮ କଳସ ଜଳ ସଂଗ୍ରହ କରାଯାଏ । ଏହି ସୁନା କୂଅଟି ଶୀତଳା ଠାକୁରାଣୀ ଓ ତାଙ୍କ ବାହାନ ସିଂହଙ୍କ ମଧ୍ୟରେ ଅବସ୍ଥିତ । ପରେ ଯେପରି ଏହି କୂଅକୁ ବର୍ଷସାରା ସିଂହ ହିଁ ସୁରକ୍ଷିତ ରଖିଥାଏ । କୂଅର ବ୍ୟବହାର ବର୍ଷସାରା ନଥବାରୁ ଜନପଦୀୟ ତାନ୍ତ୍ରିକ ପରମ୍ପରାରେ ଏହି ଜଳକୁ ଅଣତୁଠ ପାଣି ବୋଲି ଗ୍ରହଣ କରାଯାଏ । ସ୍ନାନଲୀଳାରେ ବୈଦିକ ବିଧିରେ ସ୍ନାନ ଜଳ ଅଭିମନ୍ତ୍ରିତ ହେଉଥବା ବେଳେ ସ୍ଥାନ କାଳରେ ତାନ୍ତ୍ରିକ ବିଧିରେ ତେରଟି ପଦାର୍ଥ ମିଶ୍ରଣ କରାଯାଏ । ଯଜ୍ଞ ପରମ୍ପରାରେ ଏହି କୂଅକୁ ‘ପ୍ରଣୀତାକୂପ’ ବୋଲି କୁହାଯାଏ । ପ୍ରାଚୀନ କାଳରେ ମଧ୍ୟ ଓଡ଼ିଶାରେ ଛୁଆଟିଏ ଜନ୍ମ ହେଲେ ତାହାକୁ ଅଣତୁଠ ପାଣି ମିଶ୍ରଣ କରାଯାଇ ସ୍ନାନ କରିବାର ପରମ୍ପରା ରହିଥଲା । ଏହାଦ୍ୱାରା ଦୁଷ୍ଟ ଶକ୍ତିଙ୍କ ପ୍ରଭାବ କଅଁଳା ପିଲାଙ୍କ ଉପରେ ପଡ଼େନାହିଁ । ଅଭିମନ୍ତ୍ରିତ ହୋଇଥିବା ଜଳରେ ୧୦୮ କଳସରେ ଅଷ୍ଟବନ୍ଧ, କୃଷ୍ଣ-ଅଗୁରୁ, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳକୀ, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀ ଓ ଲୋଧା ମିଶ୍ରତ କରାଯାଏ ।

ଏହି ମହୌଷଧି ମିଶ୍ରଣ କରାଯିବା ପରେ ଜଳକୁ ଅଭିମନ୍ତ୍ରିତ କରାଯାଏ । ସେହି ଗନ୍ଧଯୁକ୍ତ ଅଭିମନ୍ତ୍ରିତ ଜଳରେ ଦାରୁବ୍ରହଙ୍କୁ ଶ୍ରୀଜୀଉମାନଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଏ । ଏହି ଜଳରୁ ୩୫ ଗରା ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ, ୨୨ ଗରା ସୁଭଦ୍ରାଙ୍କୁ ଓ ୧୮ ଗରା ସୁଦର୍ଶନଙ୍କୁ ସ୍ନାନ କରାଯାଏ । ଏହାକୁ “ପ୍ରତ୍ୟେକ୍ଷ ଅବକାଶ” କହନ୍ତି । ପ୍ରଭୁଙ୍କୁ ଏହି ଦିନ ଗଜାନନ ବେଶ କରାଯାଏ । ଏହି ଦିନ ରାଘବଦାସ ମଠ ପକ୍ଷରୁ ଦେବୀ ସୁଭଦ୍ରାଙ୍କୁ ଫୁଲଚୂଳ, ଚନ୍ଦ୍ରିକା ଓ ଛତ୍ରି ନାଗି କରାଯାଇ ବେଶ କରାଯାଏ । ଗୋପାଳତୀର୍ଥ ମଠଦ୍ୱାରା ପ୍ରଦତ୍ତ ଶ୍ରୀବଳଭଦ୍ରଙ୍କୁ ଗଜାନନ ବେଶ ଓ ଶୁଦର୍ଶନଙ୍କୁ ଚକ୍ର ଲାଗି କରାଯାଏ । ଏହି ଦିନ ତିନି ଧୂପ ବଦଳରେ ଗୋଟିଏ ଧୂପ ଦିଆଯାଏ ।

ତାପରେ ଠାକୁରମାନେ ଶ୍ରୀମନ୍ଦିରକୁ ଗୋଟି ପହଣ୍ଡିରେ ଫେରନ୍ତି । ଭିତର କାଠପାଖ ଅଣସର ପିଣ୍ଡିରେ ଠାକୁରମାନେ ବିଜେ କରିବାପରେ ତାଟି ବନ୍ଧାଯାଏ ଓ ପଟିମୂର୍ତି ସ୍ଥାପନା କରାଯାଏ । ତାପରେ ଏହି ଚତୁର୍ଧାମୂର୍ତ୍ତି ସ୍ନାନପୂର୍ଣ୍ଣିମା ଠାରୁ ନେତ୍ରୋତ୍ସବ ପର୍ୟ୍ୟନ୍ତ ଦିର୍ଘ ୧୫ ଦିନ ଧରି ଜ୍ୱରରେ ପଡ଼ନ୍ତି । ଏହାକୁ ଅଣସର କୁହାଯାଏ । ଏହି ୧୫ ଦିନ ଭକ୍ତମାନେ ଜିଉମାନଙ୍କର ଦର୍ଶନ ପାଆନ୍ତି ନାହିଁ । ଏହି ସମୟରେ ଭକ୍ତମାନେ ନିକଟସ୍ଥ ବ୍ରହ୍ମଗିରିରେ ପୂଜିତ ହେଉଥିବା ଅଲାରନାଥଙ୍କୁ ଦର୍ଶନ କରନ୍ତି ।