ବଡ଼ଦାଣ୍ଡରେ ଆଗେଇ ଚାଲିଛି ରଥଟଣା : ବିନା ଭକ୍ତରେ ରଥ ଟାଣୁଛନ୍ତି ସେବାୟତ; କୋଭିଡ ପାଇଁ ଦିବ୍ୟସେବାରୁ ବଂଚିତ ଭକ୍ତ

103

କନକ ବ୍ୟୁରୋ : ଗତବର୍ଷ ଭଳି ଏଥର ମଧ୍ୟ ଭକ୍ତ ଓ ଭଗବାନଙ୍କ ଭିତରେ ଦୂରତା ସୃଷ୍ଟି କରିଛି କରୋନା ମହାମାରୀ । ଗତବର୍ଷ କରୋନାର ପ୍ରଥମ ଲହର କାରଣରୁ ବିନା ଭକ୍ତରେ ହୋଇଥିଲା ରଥଯାତ୍ରା । ଏଥର ପୁଣି ଦ୍ୱିତୀୟ ଲହରର ପ୍ରଭାବ କମିନଥିବାରୁ ବିନା ଭକ୍ତରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କରିବାକୁ ନିଷ୍ପତି କଲା ପ୍ରଶାସନ । ପୁରୀକୁ ପ୍ରବେଶ ଉପରେ କଟକଣା ଲଗାଗଲା । ଏପରିକି ପୁରୀରେ ୪୮ ଘଂଟିଆ କର୍ଫୁ ଜାରି କରାଯାଇଛି । ବଡଦାଣ୍ଡକୁ ଭକ୍ତ ଆସିବା ନେଇ ଶକ୍ତ କଟକଣା ରହିଛି । ବିନା ଭକ୍ତରେ ସେବାୟତମାନେ ରଥାରୁଢ଼ ଶ୍ରୀଜିଉମାନଙ୍କୁ ହର୍ଷୋଲ୍ଲାସର ସହିତ ଟାଣି ଟାଣି ନେଉଛନ୍ତି । ଏକ ବର୍ଣ୍ଣାଢ଼୍ୟ ଆଧ୍ୟାତ୍ମିକ ପରିବେଶରେ ଆଗେ ଆଗେ ତାଳଧ୍ୱଜରେ ବଳଭଦ୍ର, ମଝିରେ ଦର୍ପଦଳନରେ ଦେବୀ ସୁଭଦ୍ରା ଓ ଶେଷରେ ଗହଳି ଲଗାଇ କାଳିଆ ଠାକୁର ନନ୍ଦିଘୋଷରେ ବାହାରିଛନ୍ତି ।

ବଡଦେଉଳରେ ବଡଠାକୁରଙ୍କୁ ଦେଖିବା ସମ୍ଭବ ହେଉନଥିବାରୁ, ରଥଯାତ୍ରାକୁ ଅପେକ୍ଷା କରି ରହିଥିଲେ ଭକ୍ତଗଣ । ହେଲେ ଠାକୁର ରତ୍ନ ସିଂହାସନ ଛାଡି ବଡଦାଣ୍ଡକୁ ଓହ୍ଲାଇ ଆସିଥିଲେ ମଧ୍ୟ ନିକଟରୁ ଦେଖିବା ଭକ୍ତଙ୍କ ପାଇଁ ସମ୍ଭବ ହୋଇନାହିଁ । ଯାହା ଭକ୍ତର ମନକୁ ବ୍ୟାକୁଳ କରିଛି । ପୁରୀରେ କାନ୍ଦିକାନ୍ଦି କାଳିଆକୁ ନିଜ ଦୁଃଖ ଜଣାଇଛନ୍ତି ଭକ୍ତ । ଘର ପାଖରେ ଛିଡା ହୋଇ କେବଳ ହାତଟେକି ମହାବାହୁକୁ ସବୁକିଛି ଠିକ କରିଦେବା ପାଇଁ ଆକୁଳ ନିବେଦନ କରିଛନ୍ତି । କେବଳ ଦୂରରୁ ଭାବବିହ୍ୱଳ ହୋଇ ଭଗବାନଙ୍କୁ କରିଛନ୍ତି ଆରାଧନା ।