ବଡ଼ ଦିନରେ ଦେଶବ୍ୟାପୀ ଉତ୍ସବର ମାହୋଲ : ବାଇବେଲ ପାଠ ଓ ପ୍ରାର୍ଥନା ପରେ ସମସ୍ତେ ପରସ୍ପରକୁ ଜଣାଇଲେ ଶୁଭେଚ୍ଛା , ପ୍ରଭୁଙ୍କ ପାଦ ଚୁମ୍ବନ କରି ଶ୍ରଦ୍ଧା ନିବେଦନ କଲେ ଖ୍ରୀଷ୍ଟଧର୍ମାବଲମ୍ବୀ ।

93

ଆଜି ପବିତ୍ର ବଡଦିନ । ମଧ୍ୟରାତ୍ରରେ ଧରାପୃଷ୍ଟକୁ ଆଗମନ କରିଛନ୍ତି ପ୍ରଭୁ ଯୀଶୁ । ତାଙ୍କୁ ସ୍ୱାଗତ କରିବା ପାଇଁ ତଥା ଭକ୍ତି ଅର୍ଘ୍ୟ ଢାଳିବା ପାଇଁ ପ୍ରାୟ ୩ଟା ଯାଏଁ ଚଳଚଂଚଳ ଥିଲା ବିଭିନ୍ନ ଚର୍ଚ୍ଚ । ରଙ୍ଗ ବେରଙ୍ଗର ଆଲୁଅ ମାଳାରେ ଝଲସୁଥିଲା ଚର୍ଚ୍ଚ । ଝଲସୁଥିଲା ଜିଙ୍ଗଲ ବେଲ । ଝଲସୁଥିଲା ବିଭିନ୍ନ ଉପହାରରେ ସଜ୍ଜିତ ଖ୍ରୀଷ୍ଟମାସ ବୃକ୍ଷ । ଭାସିଆସୁଥିଲା ସମବେତ କାରୋଲ ସଙ୍ଗୀତ । ଭଗବାନ ଯୀଶୁଙ୍କୁ ଆଗମନକୁ ଏପରି ଢଙ୍ଗରେ ବିଭିନ୍ନ ଚର୍ଚ୍ଚରେ ସ୍ୱାଗତ କରାଯାଇଛି ।

ବଡଦିନର ଏହି ମହାର୍ଘ୍ୟ ଅବସରରେ ଦେଶ ତଥା ରାଜ୍ୟର ବିଭିନ୍ନ ଚର୍ଚରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାଗିଥିଲା ଗହଳ ଚହଳ । ଠିକ ମଧ୍ୟ ରାତିରେ ପ୍ରତୀକଧର୍ମୀ ଗହାଳ ଭିତରେ ମଦର ମେରିଙ୍କ ଗର୍ଭରୁ ଯୀଶୁ ଅବତରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ଶୁଭେଚ୍ଛାର ପର୍ବ । ପରସ୍ପରକୁ ଆଲିଙ୍ଗନ କରି ବଡ ଦିନର ଶୁଭେଚ୍ଛା ଜଣାଇଥିଲେ । ଏହାସହ ବାଇବେଲ ପାଠ ଓ ପ୍ରାର୍ଥନାରେ ମସଗୁଲ ହୋଇଥିଲେ ସାରା ଖ୍ରୀଷ୍ଟିଆନ ସଂପ୍ରଦାୟ । ଭୁବନେଶ୍ୱରର ସତ୍ୟନଗର ଚର୍ଚ୍ଚରେ ବଡ଼ଦିନ ପାଳନ ହୋଇଛି । ଶ୍ରଦ୍ଧାର ସହ ଚର୍ଚ୍ଚରେ ପ୍ରାର୍ଥନା କରୁଛନ୍ତି ଶ୍ରଦ୍ଧାଳୁ । ଏକାଥରକେ ୧୪୦ ଜଣ ଚର୍ଚ୍ଚ ମଧରେ ପ୍ରବେଶ କରୁଛନ୍ତି । କୋଭିଡ ନିୟମ ପାଳନ ସହ ପ୍ରାର୍ଥନା କରାଯାଉଛି ।