ବକ୍ସିଂରୁ ଅବସର ଚର୍ଚ୍ଚାକୁ ଖଣ୍ଡନ କଲେ ମେରୀକମ୍ । କହିଲେ, ପ୍ରକାଶିତ ଖବରରେ ନାହିଁ ସତ୍ୟତା

44

କନକ ବ୍ୟୁରୋ : ଅବସର ନେଇନାହାନ୍ତି କିମ୍ବଦନ୍ତୀ ମୁଷ୍ଟିଯୋଦ୍ଧା ମେରୀକମ୍ । ଏନେଇ ନିଜେ ମେରୀକମ୍ ସ୍ପଷ୍ଟ କରିଛନ୍ତି । ଅବସର ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ସେ ଖଣ୍ଡନ କରିଛନ୍ତି । ଖବରରେ କୌଣସି ସତ୍ୟତା ନାହିଁ । ଯେବେ ଅବସର ନେବେ ଗଣମାଧ୍ୟମ ସାମ୍ନାକୁ ଆସି ସେ ନିଜେ ଘୋଷଣା କରିବେ ବୋଲି କହିଛନ୍ତି । ଖେଳରେ ଏବେ ବି ସଫଳତା ପାଇବାର ଇଚ୍ଛା ରହିଛି, ହେଲେ ଅଲିମ୍ପିକ୍ସର ବୟସ ସୀମା ଆଗକୁ ଯିବାକୁ ସୁଯୋଗ ଦେଉନାହିଁ ବୋଲି କହିଛନ୍ତି ମେରୀକମ୍ ।

ବର୍ତମାନ ସେ ଫିଟନେସ୍ ଉପରେ ଗୁରୁତ୍ୱ ଦେଉଛନ୍ତି, ଅବସର ନେଲେ ଅବଗତ କରାଇବେ ବୋଲି ମେରୀକମ୍ କହିଛନ୍ତି । ୨୦୧୨ରେ ଲଣ୍ଡନ ଅଲିମ୍ପିକ୍ସରେ ୫୧ କେଜି ବର୍ଗରେ କାଂସ୍ୟ ପଦକ ଜିତି ମହିଳା ବକ୍ସିଂରେ ଅଲିମ୍ପିକ୍ସ ପଦକ ଜିତିବାରେ ପ୍ରଥମ ଭାରତୀୟ ବକ୍ସର ହେଉଛନ୍ତି ମେରୀକମ୍ । ଅଲିମ୍ପିକ୍ସରେ ପଦକ ଜିତିବା ପୂର୍ବରୁ ସେ ୫ ଥର ବିଶ୍ୱ ବିଜେତା ହୋଇସାରିଥିଲେ । ୬ ଥରର ବିଶ୍ୱ ବିଜେତା ମେରୀ କମ୍ ଶେଷ ଥର ପାଇଁ ୨୦୨୧ରେ ସର୍ବୋଚ୍ଚ ସ୍ତରରେ ପଦକ ଜିତିଥିଲେ । ଏସିଆନ୍ ଚାମ୍ପିୟନସିପରେ ସେ ରୌପ୍ୟ ପଦକ ଜିତିଥିଲେ । ସେ ୮ଟି ବିଶ୍ୱ ଚାମ୍ପିୟନସିପ୍ ପଦକ, ୭ଟି ଏସୀୟ ଚାମ୍ପିୟନସିପ୍ ପଦକ, ୨ଟି ଏସୀୟ କ୍ରୀଡ଼ା ପଦକ ଏବଂ ଗୋଟିଏ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।