ତାତିରୁ ମିଳିବନି ନିସ୍ତାର । ଦୁଇ ସପ୍ତାହ ଯାଏଁ ଟାଣ ଖରା କରିବ କଲବଲ । ପୁଣି ୪୫ ଡିଗ୍ରୀ ଛୁଇଁପାରେ ପାରଦ ।

390

କନକ ବ୍ୟୁରୋ: ଆଗାମୀ ଦୁଇ ସପ୍ତାହ ଯାଏଁ ତାତିରୁ ନିସ୍ତାର ମିଳିବନି । ଗୋଟିଏ ଦୁଇଟି ସ୍ଥାନରେ ୪୫ ଡିଗ୍ରୀ ଡେଇଁଯିବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ଆହୁରି ଆକଳନ କରାଯାଇଛି ଯେ ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସହ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ ।

୨୦ ତାରିଖରେ ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୈଦ୍ଧ, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର ଓ କନ୍ଧମାଳ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବା ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ପରବର୍ତୀ ତିନି ଦିନ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ସହ କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ । ଗତକାଲି ଚାନ୍ଦବାଲିଠାରେ ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦.୧ ଡିଗ୍ରୀ ରହିଥିବା ବେଳେ ନୂଆପଡ଼ାରେ ୪୦, ଭୁବନେଶ୍ୱର ଓ ବୈାଦ୍ଧରେ ୩୯.୫, ବାରିପଦାରେ ୩୯.୨, ତାଳଚେର ଓ ଭଦ୍ରକରେ ୩୯ ଡିଗ୍ରୀ ରେକର୍ଡ କରାଯାଇଛି । ବାୟୁମଣ୍ଡଳର ମଧ୍ୟ ଓ ଉପରି ଭାଗରେ ଶୁଷ୍କ ପଶ୍ଚିମା ବାୟୁର ପ୍ରବାହ ବୃଦ୍ଧି ତଥା ସାମୁଦ୍ରିକ ବାୟୁ ପ୍ରବାହ ଦୁର୍ବଳ ହେବାର ସମ୍ଭାବନା ଥିବାରୁ ମେ’ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗିରହିବ ।

ଆକଳନ ଅନୁଯାୟୀ ମେ’ ୨୪ରୁ ୩୦ ମଧ୍ୟରେ ରାଜ୍ୟରେ ତାପମାତ୍ରା ବହୁ ପରିମାଣରେ ବୃଦ୍ଧି ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ । ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାର ତାପମାତ୍ରା ୪୦ରୁ ୪୫ ଡିଗ୍ରୀ ମଧ୍ୟରେ ରହିବ ।